Unknown

 

 

 

 

 

 

 

 

 

ମଣିଷଙ୍କ ମଧ୍ୟରେ ମଣି

ଚିତ୍ତରଞ୍ଜନ ଦାସ

 

ସୂଚୀପତ୍ର

 

୧.

ଯୋଗୀର ଜାତି ନାହିଁ

୨.

ପଞ୍ଚସଖା

୩.

କେଉଁ ସମ୍ରାଟଙ୍କ ଦରବାରରେ ?

୪.

ଗାନ୍ଧିଜୀଙ୍କ ପିଲାଦିନ

୫.

ଉସ୍ତାଦ୍ ଆଲ୍ଲାଉଦ୍ଦିନ ଖାଁ

୬.

ଜଣେ ଅଭିନବ ବିଳ୍ପବୀ

୭.

ହେନ୍‍ରି ଫୋର୍ଡ଼ ଓ ମୋଟର ଗାଡ଼ି

୮.

ଋଷିଆର ନୂଆ ଚାଷ

୯.

ଦାନିଲୋ ଦୋଲଚି

Image

 

ଯୋଗୀର ଜାତି ନାହିଁ

 

ଆଜିକୁ ପ୍ରାୟ ପାଞ୍ଚଶହ ବର୍ଷ ତଳର କଥା । କାଶୀତୀର୍ଥର ଜଣେ ଦରିଦ୍ର ବ୍ରାହ୍ମଣୀର ଗର୍ଭରୁ ଦିନେ ଗୋଟିଏ ସୁନ୍ଦର ପୁଅ ଜନ୍ମ ହେଲା । ପୁଅଟିକୁ କିପରି ପାଳନପୋଷଣ କରିବ, ସେହି ଭୟରେ ବ୍ରାହ୍ମଣୀ ତାକୁ ଟୋକେଇରେ ଭର୍ତ୍ତି କରି ନିକଟରେ ଥିବା ଏକ ପଦ୍ମପୋଖରୀରେ ଭସାଇ ଦେଇ ଆସିଲା ।

 

ପ୍ରାୟ ସନ୍ଧ୍ୟା ସମୟରେ ଜଣେ ମୁସଲମାନ ତନ୍ତୀ ନିରୁ ଓ ତାର ପତ୍ନୀ ନିମା ସେହି ପୁଷ୍କରଣୀ ବାଟ ଦେଇ ଯାଉଥିଲେ ଓ ପିଲାଟିକୁ ଅସହାୟ ଅବସ୍ଥାରେ ଭାସୁଥିବାର ଦେଖିଲେ । ନିରୁ କହିଲା, ‘‘ଚାଲ; ଏ ପିଲାଟିକୁ ଆମେ ଘରକୁ ନେଇଯିବା ।’’ ନିମା କହିଲା, ‘‘କେହି ଯଦି ଏ ପିଲାଟି ବିଷୟରେ ଆମକୁ କୌଣସି କଥା ପଚାରେ, ତେବେ ଆମେ ସେମାନଙ୍କୁ କି ଉତ୍ତର ଦେବା-? ଲୋକମାନେ ଆମକୁ ସନ୍ଦେହ କରିବେ ।’’ ନିରୁ କହିଲା, ‘‘କିନ୍ତୁ ଏହିଠାରେ ଏପରି ପକାଇଦେଇ ଗଲେ କ’ଣ ପିଲାଟି ଆଉ ଜୀବନରେ ରହିବ ?’’

 

ଶେଷକୁ ସେମାନେ ଶିଶୁଟିକୁ ଘରକୁ ନେଇଗଲେ ଓ ଠିକ୍ ଆପଣାର ସନ୍ତାନ ପରି ତାକୁ ପାଳିବାକୁ ଲାଗିଲେ । ତା’ର ନାଆଁ ଦିଆଗଲା କବୀର ।

 

କବୀର ବଡ଼ ହୋଇ ପାଠ ପଢ଼ିବାକୁ ଗଲେ । କାଶୀ ସହର କାଳେ କାଳେ ଭାରତ ବର୍ଷର ବିଦ୍ୟାନଗରୀ ହୋଇ ରହି ଆସୁଥିଲା । ସେଠାରେ କେତେ ଶାସ୍ତ୍ରର କେତେ ପଣ୍ଡିତ ଅଧ୍ୟାପନା କରୁଥିଲେ । ସେହି ପଣ୍ଡିତମାନଙ୍କ ପାଖରେ କବୀର ବିଦ୍ୟାଶିକ୍ଷା କରିବାର ସୁଯୋଗ ପାଇଲେ । ତାଙ୍କୁ ଷୋଳବର୍ଷ ବୟସ ହେଲା ବେଳକୁ ସେ ହିନ୍ଦୁ ଧର୍ମ ଓ ଇସଲାମ ଧର୍ମର ଅନେକ ବିଦ୍ୟା ପଢ଼ି ସାରିଲେଣି । ସନ୍ୟାସୀ ରାମାନନ୍ଦଙ୍କର ଧର୍ମଉପଦେଶ ତାଙ୍କୁ ସବୁଠାରୁ ଅଧିକ ଭଲ ଲାଗୁଥିଲା । ଭଗବାନ ଏକ ବୋଲି ରାମାନନ୍ଦ ପ୍ରଚାର କରୁଥିଲେ । ସତ୍ୟର ପଥରେ ଚାଲିବା ଲାଗି ସେ ସମସ୍ତଙ୍କୁ ଉପଦେଶ ଦେଉଥିଲେ ।

 

ପଣ୍ଡିତ ଓ ସନ୍ନ୍ୟାସୀମାନଙ୍କଠାରୁ ଧର୍ମଶିକ୍ଷା କରିବା ସଙ୍ଗେ ସଙ୍ଗେ କବୀର ନିଜ ବାପାଙ୍କଠାରୁ ତାଙ୍କର କୌଳିକ ବ୍ୟବସାୟ ମଧ୍ୟ ଶିକ୍ଷା କରୁଥିଲେ । ବଡ଼ ହୋଇ ସେ ଜଣେ ଭଲ ଲୁଗାବୁଣାଳି ହିସାବରେ ସମସ୍ତଙ୍କଠାରୁ ଖୁବ୍ ପ୍ରଶଂସା ପାଇଲେ । ଧର୍ମ କାମରେ ଦକ୍ଷ ହେଲା ପରି ସେ ଲୁଗାବୁଣାରେ ମଧ୍ୟ ନିପୁଣ ହୋଇ ବାହାରିଲେ ।

 

ବଡ଼ ହୋଇ ସେ ବିବାହ କଲେ ଓ ତାଙ୍କର ଦୁଇଟି ସନ୍ତାନ ଜାତ ହେଲେ । ସେ ସବୁଦିନ ତନ୍ତପାଖରେ ବସି ଲୁଗା ବୁଣନ୍ତି ଓ ନିଜର ଭାବନାଗୁଡ଼ିକୁ ଏକାଠି କରି କବିତା ରଚନା କରନ୍ତି । ପ୍ରକୃତ ଧର୍ମ କ’ଣ, ପ୍ରକୃତ ଭଗବାନ କେଉଁଠାରେ ଅଛନ୍ତି, କେଉଁ ପଥରେ ଗଲେ ମଣିଷ ଜୀବନରେ ସୁଖ ଓ ସନ୍ତୋଷ ପାଇ ପାରିବ, ସିଏ ଏହିସବୁ ବିଷୟରେ କବିତା ଲେଖନ୍ତି । ତାଙ୍କର କବିତା ଓ ଭଜନଗୁଡ଼ିକ କ୍ରମେ ଖୁବ୍ ଆଦର ପାଇଲା ଏବଂ କାଶୀର ପଣ୍ଡିତମାନେ ସେଗୁଡ଼ିକର ଆଲୋଚନା କରିବାକୁ ଲାଗିଲେ । ଏହିପରି ଭାବରେ କବୀର ଚାରିଆଡ଼େ ପ୍ରସିଦ୍ଧ ହୋଇଗଲେ । ଅନେକ ଲୋକ ତାଙ୍କୁ ଗୁରୁ ବୋଲି ଗ୍ରହଣ କଲେ, ସେ ତଥାପି ପୂର୍ବପରି ତନ୍ତରେ ଲୁଗା ବୁଣି ଆପଣାର ଜୀବିକା ଅର୍ଜନ କରୁଥାନ୍ତି ।

 

ଏକଦା କବୀର ଗଙ୍ଗା କୂଳକୁ ବୁଲି ଯାଇଥିଲେ । ସେଠାରେ ନଦୀ ଘାଟରେ ଶହ ଶହ ଯାତ୍ରୀ ସ୍ନାନ କରୁଥାନ୍ତି । ପବିତ୍ର ଗଙ୍ଗାଜଳରେ ସ୍ନାନ କଲେ ଜନ୍ମ ଜନ୍ମର ପାପ କ୍ଷୟ ହୋଇଯାଏ ବୋଲି ଆମ ଦେଶରେ ଅନେକ ଲୋକଙ୍କର ବହୁ କାଳରୁ ବିଶ୍ୱାସ ରହିଛି । ସେଥିପାଇଁ ଭାରତର ବିଭିନ୍ନ ପ୍ରଦେଶରୁ ହଜାର ହଜାର ଯାତ୍ରୀ ଗଙ୍ଗା ନଦୀରେ ସ୍ନାନ କରିବା ନିମନ୍ତେ ବନାରସ ଆସନ୍ତି । ଗଙ୍ଗା ତଟରେ ଠିଆ ହୋଇ କବୀର ଧର୍ମୋପଦେଶ ଦେବାକୁ ଲାଗିଲେ । ଭଗବାନ ହେଉଛନ୍ତି ଏକ, ତେଣୁ ଅନ୍ଧବିଶ୍ୱାସରେ ବୁଡ଼ି ରହି ନାନାପ୍ରକାର ପିତୁଳା ପୂଜା କରିବା ଆଦୌ ଧର୍ମ ନୁହେଁ ବୋଲି ସେ ଲୋକମାନଙ୍କୁ ବୁଝାଇ କହୁଥାନ୍ତି । ସେଠାରେ ଅନେକ ପଣ୍ଡିତ ଓ ପୁରୋହିତ ମଧ୍ୟ ତାଙ୍କର ଉପଦେଶମାନ ଶୁଣୁଥାନ୍ତି । କବୀରଙ୍କର ଉପଦେଶରେ ସେମାନଙ୍କର ବିଶ୍ୱାସ ହେଉନଥାଏ-

 

ଏତିକିବେଳେ, ଜଣେ ପୁରୋହିତ ତୃଷାର୍ତ୍ତ ହୋଇ ଜଳପାନ କରିବାକୁ ଇଚ୍ଛା କଲେ । କବୀର ନିଜର ଲୋଟାରେ ଗଙ୍ଗାନଦୀରୁ ଲୋଟାଏ ପାଣିଆଣି ତାଙ୍କୁ ପିଇବାକୁ ଯାଚିଲେ । କିନ୍ତୁ କବୀର ତ ନୀଚ କୁଳରେ ଜାତ, ସିଏ ଜଣେ ଅସ୍ଫୃଶ୍ୟ ତାଙ୍କ ହାତରୁ ପୁରୋହିତ କିପରି ଜଳସ୍ପର୍ଶ କରିବେ ।

 

ପୁରୋହିତଙ୍କର କୁଣ୍ଠାଭାବ ଦେଖି କବୀର କହିଲେ, ‘‘ଗଙ୍ଗାଜଳ ସ୍ପର୍ଶ କରି ଯଦି ମୋର ସାମାନ୍ୟ ଲୋଟାଟା ମଧ୍ୟ ପବିତ୍ର ନହୁଏ, ତେବେ ଏହି ଜଳରେ ସ୍ନାନ କରି ଆପଣଙ୍କର ପାପ ଧୌତ ହୋଇଯିବ ବୋଲି ଆପଣ କିପରି ବିଶ୍ୱାସ କରୁଛନ୍ତି ? ଅନ୍ୟ ଜଣେ ମଣିଷ ଛୁଇଁ ଦେଲେ ଆପଣମାନେ ଛୁଆଁ ହୋଇଯିବେ ବୋଲି ଭୟ କରୁଛନ୍ତି । କିନ୍ତୁ ପ୍ରକୃତରେ ସବୁ ମଣିଷ ସମାନ, କାରଣ ସବୁରି ଭିତରେ ଭଗବାନ ରହିଛନ୍ତି । ଆପଣମାନଙ୍କର ମନ ଅହଙ୍କାର ଦ୍ୱାରା ଆଚ୍ଛନ୍ନ ହୋଇ ରହିଛି । ତେଣୁ ଆପଣମାନେ ଭଗବାନଙ୍କୁ ଅନୁଭବ କିର ପାରୁନାହାନ୍ତି ।’’

 

କବୀରଙ୍କର ଭଜନ ଓ ଉପଦେଶ ଆଜି ସମଗ୍ର ଭାରତ ବର୍ଷରେ ପରିଚିତ । ଇଂରାଜୀ ଭାଷାରେ ମଧ୍ୟ ଏହାର ଅନୁବାଦ ହୋଇଅଛି । ଆପଣାକୁ ବଡ଼ ଜାତି କହି ମଣିଷ ଆଉ ଜଣକୁ ଛୋଟ ଜାତି ବୋଲି କହିବ ଏବଂ ତାକୁ ଘୃଣା କରିବ, ଏଭଳି ମନୋଭାବକୁ କବୀର ଅଧର୍ମ ବୋଲି କହିଛନ୍ତି । ଭଗବାନଙ୍କ ଉପରେ ଦୃଢ଼ ବିଶ୍ୱାସ ରଖିପାରିଲେ ଆଉ ମଣିଷ ନିଜକୁ ବଡ଼ ଓ ଅନ୍ୟକୁ ଛୋଟ ବୋଲି କେବେହେଲେ କହିବ ନାହିଁ । ଯୋଗୀ ଅର୍ଥାତ୍ ଭଗବାନଙ୍କୁ ଚିହ୍ନିଥିବା ବ୍ୟକ୍ତିର ପ୍ରକୃତରେ କୌଣସି ଜାତି ନାହିଁ ବୋଲି ସନ୍ଥ କବୀର କହି ଯାଇଛନ୍ତି ।

 

ପ୍ରାୟ ଅଶୀବର୍ଷ ବୟସରେ କବୀର ଏହି ସଂସାରରୁ ବିଦାୟ ନେଇଗଲେ । ତାଙ୍କର ଶବସଂସ୍କାର କେଉଁମାନେ କରିବେ, ଏହି ବିଷୟରେ ହିନ୍ଦୁ ଓ ମୁସଲମାନମାନେ କଳହ ଆରମ୍ଭ କରିଦେଲେ । ହିନ୍ଦୁମାନେ କହିଲେ, ଜଣେ ବ୍ରାହ୍ମଣୀ ମାଆଠାରୁ କବୀରଙ୍କର ଜନ୍ମ, ତେଣୁ ସିଏ ହେଉଛନ୍ତି ବ୍ରାହ୍ମଣ । ସୁତରାଂ ଆମେ ହେଉଛୁ ତାଙ୍କ ଶବ ଉପରେ ଅଧିକାରୀ । ଏଣେ ମୁସଲମାନମାନେ ଆପତ୍ତି କଲେ ଯେ, କବୀର ଜଣେ ମୁସଲମାନର ଘରେ ଲାଳିତପାଳିତ ହୋଇ ମଣିଷ ହୋଇଛନ୍ତି । ତେଣୁ ସିଏ ହେଉଛନ୍ତି ମୁସଲମାନ ଏବଂ ଜଣେ ମୁସଲମାନ ପରି ତାଙ୍କ ଶବର ସତ୍କାର କରିବାକୁ ହେବ । ଏହିପରି କଳହ କରି ସେମାନେ ଶବ ପାଖକୁ ଆସିଲେ । ଶବ ଉପରେ ଆଚ୍ଛାଦିତ ହୋଇଥିବା ଚଦରଟିକୁ କାଢ଼ି ଦେବାରୁ ଦେଖାଗଲା, କବୀରଙ୍କର ଶରୀର ସେଠାରୁ ଅନ୍ତର୍ହିତ ହୋଇଯାଇଛି, ସେଠାରେ କେବଳ ଫୁଲର ହାରଟିଏ ପଡ଼ି ରହିଛି ।

 

ବଞ୍ଚିଥିବା ସମୟରେ କବୀର ଠିକ୍ ଗୋଟିଏ ଫୁଲର ହାରପରି ହିନ୍ଦୁ ଓ ମୁସଲମାନ ଉଭୟଙ୍କୁ ସୁବାସ ପ୍ରଦାନ କରିଥିଲେ । ସିଏ ହିନ୍ଦୁ ନଥିଲେ କି ମୁସଲମାନ ନଥିଲେ । ସିଏ ଜଣେ ଯଥାର୍ଥ ମଣିଷ ଥିଲେ । ଆପଣାର ସରଳ ଜୀବନ ଓ ସାରପୂର୍ଣ୍ଣ ଧର୍ମୋପଦେଶ ଦ୍ୱାରା ସେ ସବୁ ଜାତିର ମନୁଷ୍ୟଙ୍କୁ ଆପଣାର କରି ପାରିଥିଲେ । ତେଣୁ, କବୀର ପ୍ରକୃତରେ ସବୁ ଜାତିର ଗୌରବ ଥିଲେ ।

 

ଏ ପର୍ଯ୍ୟନ୍ତ ଉତ୍ତର ଭାରତରେ କବୀରଙ୍କର ଅନେକ ଶିଷ୍ୟ ଅଛନ୍ତି । ସେମାନେ ଆପଣାକୁ କବୀର ପନ୍ଥୀ ବୋଲି କହନ୍ତି । କବୀର ପନ୍ଥୀମାନେ କୌଣସି ଜାତିଭେଦରେ ବିଶ୍ୱାସ କରନ୍ତି ନାହିଁ । ସବୁ ମଣିଷର ହୃଦୟ ଭିତରେ ସେହି ଏକ ଭଗବାନ ବିରାଜିତ ରହିଛନ୍ତି ବୋଲି ପ୍ରଚାର କରନ୍ତି ।

Image

 

ପଞ୍ଚସଖା

 

ଓଡ଼ିଶାର ପ୍ରାଚୀନ ସାହିତ୍ୟରେ ପଞ୍ଚସଖାଙ୍କର ନାମ ସୁପରିଚିତ । ଆଜିକୁ ପ୍ରାୟ ପାଞ୍ଚଶହ ବର୍ଷ ପୂର୍ବେ କଟକ ଓ ପୁରୀ ଜିଲ୍ଲାରେ ସେମାନେ ଜନ୍ମ ଗ୍ରହଣ କରିଥିଲେ । ଏହି ପାଞ୍ଚ ଜଣ ବିଭିନ୍ନ କବି ଏକା ସମୟରେ ଜନ୍ମ ହୋଇଥିବାରୁ ଓ ଏକା ସମୟରେ ସାହିତ୍ୟ ରଚନା କରିଥିବାରୁ ସେମାନଙ୍କୁ ପଞ୍ଚସଖା କୁହାଯାଏ । ସେମାନଙ୍କର ନାମ ହେଉଛି, ବଳରାମ ଦାସ, ଅନନ୍ତ ଦାସ, ଜଗନ୍ନାଥ ଦାସ, ଯଶୋବନ୍ତ ଦାସ ଓ ଅୁଚ୍ୟୁଦାନନ୍ଦ ଦାସ । ପାଞ୍ଚଜଣଙ୍କ ମଧ୍ୟରେ ବଳରାମ ଜ୍ୟେଷ୍ଠ ଓ ଅଚ୍ୟୁତାନନ୍ଦ କନିଷ୍ଠ ।

 

ପାଞ୍ଚଶହ ବର୍ଷ ତଳେ ବର୍ତ୍ତମାନ ଯୁଗପରି କାଗଜ ନଥିଲା କି ଛାପାଖାନା ନଥିଲା । ତାଳପତ୍ରକୁ ପାଗ କରି ତାହାରି ଉପରେ ଲୁହାର ଲେଖନ ସାହାଯ୍ୟରେ ସେତେବେଳେ ପୋଥି ଲେଖିବାକୁ ପଡ଼ୁଥିଲା । ତେଣୁ ଆଜିକାଲି ଯେତେ ସହଜରେ ଓ ଯେତେ ଶୀଘ୍ର ଶତ ଶତ ସଂଖ୍ୟାରେ ପୁସ୍ତକ ପ୍ରକାଶିତ ହୋଇପାରୁଛି, ସେ ଯୁଗରେ ସମ୍ଭବ ହେଉନଥିଲା । ଗୋଟିଏ ପୋଥିକୁ ଆରମ୍ଭ କରି ଶେଷ କରିବାଲାଗି ଅନେକ ପରିଶ୍ରମ ଓ ଧୈର୍ଯ୍ୟ ଆବଶ୍ୟକ ହେଉଥିଲା ଓ ବର୍ଷ ବର୍ଷ ସମୟ ଲାଗୁଥିଲା । ତଥାପି ପଞ୍ଚସଖା ଅନେକ ପୋଥି ରଚନା କରିଥିଲେ । ଓଡ଼ିଶାର ଚାରିଆଡ଼େ ଅନେକ ଗ୍ରାମରେ ଭାଗବତ ଗାଦୀମାନଙ୍କରେ ସେମାନଙ୍କର ରଚିତ ଅନେକ ପୋଥି ଦେଖିବାକୁ ମିଳେ । ସେମାନେ ରଚନା କରିଥିବା ଅନେକ ଭଜନ ଆଜିମଧ୍ୟ ଲୋକମାନେ ଗାନ କରନ୍ତି । ଗତ ପଚାଷ ବର୍ଷ ଭିତରେ ପଞ୍ଚସଖାଙ୍କର ଅନେକ ରଚନା ପୁସ୍ତକାକାରରେ ଛପା ହୋଇ ସାରିଲାଣି । ସେଥିରୁ ସେମାନଙ୍କର ଗଭୀର ଜ୍ଞାନ ଓ ରଚନାଶକ୍ତିର ପ୍ରମାଣ ମିଳୁଛି ।

 

ପଞ୍ଚସଖାଙ୍କ ବିଷୟ ପଢ଼ିବାବେଳେ ପ୍ରଥମେ ଜଗନ୍ନାଥ ଦାସଙ୍କର କଥା ମନେ ପଡ଼ିଯାଏ-। ତାଙ୍କରି ରଚିତ ଭାଗବତ ଆଜି ପ୍ରତିଦିନ ଓଡ଼ିଶାର ବହୁଘରେ ପଠିତ ହେଉଅଛି । ଏହି ଭାଗବତ ପ୍ରଥମେ ସଂସ୍କୃତ ଭାଷାରେ ଲେଖାଯାଇଥିଲା । କେବଳ ବ୍ରାହ୍ମଣମାନେ ସେତେବେଳେ ସଂସ୍କୃତ ଭାଷା ଅଧ୍ୟୟନ କରିବାର ଅଧିକାର ପାଉଥିଲେ । ତେଣୁ ଅନ୍ୟମାନେ ସଂସ୍କୃତ ଭାଗବତ ପଢ଼ିବାରୁ ବଞ୍ଚିତ ହୋଇ ରହୁଥିଲେ । ପୁଣ୍ୟଗ୍ରନ୍ଥ ଭାଗବତ ପଢ଼ିବାଲାଗି ଯେପରି ସମସ୍ତେ ସୁଯୋଗ ପାଇପାରିବେ, ସେଥିଲାଗି ଜଗନ୍ନାଥ ଦାସ ସରଳ ନବାକ୍ଷରୀ ଛନ୍ଦରେ ସଂସ୍କୃତରୁ ତାହାର ଓଡ଼ିଆ ରୂପାନ୍ତର କରିଦେଲେ । ଆଜିମଧ୍ୟ ଏହି ଓଡ଼ିଆ ଭାଗବତକୁ ଓଡ଼ିଶାର ସର୍ବଶ୍ରେଷ୍ଠ ପୁସ୍ତକ ବୋଲି ସମସ୍ତେ ସ୍ୱୀକାର କରୁଛନ୍ତି ।

 

ସେହିପରି ବଳରାମ ଦାସ ସଂସ୍କୃତ ରାମାୟଣ ଓ ଅଚ୍ୟୁତାନନ୍ଦ ସଂସ୍କୃତ ହରିବଂଶର ଓଡ଼ିଆ ରୂପାନ୍ତର କରିଯାଇଅଛନ୍ତି । ବଳରାମ ଦାସଙ୍କର ରାମାୟଣକୁ ଦାଣ୍ଡି ରାମାୟଣ କୁହାଯାଏ । ପଞ୍ଚସଖାଙ୍କ ସମୟରେ ଶ୍ରୀ ଚୈତନ୍ୟ ବଙ୍ଗଦେଶରୁ ଓଡ଼ିଶାକୁ ଆସିଥିଲେ ଓ ପୁରୀରେ ଧର୍ମ ପ୍ରଚାର କରିଥିଲେ । ଜଗନ୍ନାଥ ଦାସଙ୍କର ଭକ୍ତି ଓ ପାଣ୍ଡିତ୍ୟରେ ମୁଗ୍ଧ ହୋଇ ଶ୍ରୀ ଚୈତନ୍ୟ ତାଙ୍କୁ ଅତିବଡ଼ୀ ଉପାଧି ପ୍ରଦାନ କରିଥିଲେ ।

 

ବର୍ତ୍ତମାନ ଓଡ଼ିଶାର ବିଭିନ୍ନ ସ୍ଥାନରେ ପଞ୍ଚସଖାଙ୍କ ଗାଦୀ ରହିଛି । କଟକ ଜିଲ୍ଲାର ନେମ୍ୱାଳ ଗ୍ରାମରେ ଅଚ୍ୟୁତାନନ୍ଦଙ୍କର ଓ ଅଢ଼ଙ୍ଗଠାରେ ଯଶୋବନ୍ତ ଦାସଙ୍କର ଗାଦୀ ଅଛି । ଗାଦୀରେ ସେମାନଙ୍କର ରଚିତ ପୋଥିମାନ ରହିଛି । ପ୍ରତିବର୍ଷ ଏହିସବୁ ସ୍ଥାନରେ ଭକ୍ତମାନଙ୍କର ମେଳା-ମଉଚ୍ଛବ ହୁଏ ।

 

ପଞ୍ଚସଖା ଜାତିଭେଦ ମାନୁ ନଥିଲେ । ଆଗରୁ ସମାଜର ବଡ଼ ଜାତିମାନେ ଅନ୍ୟମାନଙ୍କୁ ଅଛୁଆଁ ଓ ଛୋଟ ଜାତି କରି ରଖିଥିଲେ । ଶାସ୍ତ୍ରପୁରାଣ ପ୍ରଭୃତି ସଂସ୍କୃତ ଭାଷାରେ ଲିଖିତ ହୋଇଥିଲା । ବ୍ରାହ୍ମଣମାନେ ଆପଣା ବ୍ୟତୀତ ଆଉ କାହାକୁ ସଂସ୍କୃତ ଅଧ୍ୟୟନ କରିବାର ଅନୁମତି ଦେଉ ନଥିଲେ । ତେଣୁ ସମାଜକୁ ସେମାନେ ମନଇଚ୍ଛା ଶାସନ କରୁଥିଲେ । ପଞ୍ଚସଖା ଧର୍ମପ୍ରଚାର କରିବା ସଙ୍ଗେ ସଙ୍ଗେ ଜାତିଭେଦ ବିରୁଦ୍ଧରେ ମଧ୍ୟ ପ୍ରଚାର କରିବାକୁ ଆରମ୍ଭ କଲେ । ଭଗବାନ ତ କେବଳ ମନ୍ଦିର ଭିତରେ ନାହାନ୍ତି, ସେ ସବୁ ମଣିଷ ଭିତରେ ଅଛନ୍ତି । ତେଣୁ ମଣିଷକୁ ଛୋଟଜାତି କହି ଘୃଣାକରିବା ଅର୍ଥ ଭଗବାନଙ୍କୁ ହିଁ ଘୃଣା କରିବା, ତାଙ୍କୁ ଛୋଟ କରିଦେବା । ସବୁ ଜାତି ଓ ବର୍ଣ୍ଣର ଲୋକମାନେ ଆମ ଧର୍ମର ଶାସ୍ତ୍ରପୁରାଣ ପଢ଼ିପାରିବେ ବୋଲି ପଞ୍ଚସଖା ପ୍ରଧାନ ସଂସ୍କୃତ ଗ୍ରନ୍ଥକୁ ସରଳ ଓଡ଼ିଆ ଭାଷାରେ ଲେଖିଦେଲେ । ଘରେ ଘରେ ଭାଗବତ ଓ ରାମାୟଣ ପାଠ ହେଲା, ସବୁ ଗାଆଁରେ ଲୋକେ ଏକତ୍ର ହୋଇ ଭଜନ କୀର୍ତ୍ତନ କରିବାକୁ ଲାଗିଲେ ।

 

ଆଗେ ଶୂଦ୍ରମାନଙ୍କୁ ସମସ୍ତେ ହୀନ ଓ ଅସ୍ପୃଶ୍ୟ, ବୋଲି କହୁଥିଲେ । ପଞ୍ଚସଖା କହିଲେ, ଶୂଦ୍ର ହେଉଛି ଭଗବାନଙ୍କ ଆଖିରେ ସବୁଠାରୁ ବଡ଼ ଜାତି । କାରଣ ଶୂଦ୍ର ସମାଜର ସେବା କରେ, ତେଣୁ ସଂସାରରେ ସେ ସବୁଠାରୁ ବଡ଼ ଭକ୍ତ । ଚିତାପଇତା କଲେ ବା ତୀର୍ଥକରି ବୁଲିଲେ ମନୁଷ୍ୟ ବଡ଼ ହୁଏ ନାହିଁ । ଯିଏ ସେବା କରେ, ସେହି ବଡ଼ ହୁଏ । ସେହି ଭକ୍ତ ହୁଏ । ପଞ୍ଚସଖା ନିର୍ଭୀକ ଭାବରେ ଆପଣାକୁ ଶୂଦ୍ରବୋଲି ଘୋଷଣା କଲେ । ସେମାନେ କହିଲେ ସଂସାରରେ ଆମେ ଯେଉଁ କୁଳରେ ଜନ୍ମ ହୋଇଥାଉ ପଛକେ, ଆମେ ସମସ୍ତେ ଶୂଦ୍ର, ଆମେ ସମସ୍ତେ ମହାପ୍ରଭୁଙ୍କର ଦାସ ।

 

ଜଗନ୍ନାଥ ଓ ବଳରାମ ବ୍ରାହ୍ମଣ ଥିଲେ, ଅଚ୍ୟୁତାନନ୍ଦ କରଣ ଥିଲେ । ଯଶୋବନ୍ତ କ୍ଷତ୍ରିୟ ଥିଲେ, କିନ୍ତୁ ସମସ୍ତେ ଆପଣା କୁଳର ପଦବୀମାନ ପରିତ୍ୟାଗ କରି ଦାସ-ପଦବୀ ଗ୍ରହଣ କଲେ । ସମସ୍ତେ ଶୂଦ୍ର ହେଲେ । ଏହି କାରଣରୁ ପାଞ୍ଚଶହ ବର୍ଷ ପରେ ମଧ୍ୟ ପଞ୍ଚସଖା ଓଡ଼ିଶାର ଇତିହାସରେ ମହାପୁରୁଷ ହୋଇ ରହିଛନ୍ତି ଓ ତାଙ୍କର ଗ୍ରନ୍ଥସବୁକୁ ସମସ୍ତେ ଆଦର କରୁଛନ୍ତି ।

 

ଯେଉଁ ଲୋକ ଭିତରେ ଅନ୍ୟପ୍ରତି ପ୍ରେମ ଓ ମମତା ରହିଛି ସେହିହିଁ ଭଗବାନଙ୍କୁ ପ୍ରାର୍ଥନା କରିବାପାଇଁ ଯୋଗ୍ୟ ।

–କୋଲିଭିଜି୍‍

 

ସବୁବେଳେ ସନ୍ଦେହ କରିବାଟା ଧୀରେ ଧୀରେ ଆତ୍ମହତ୍ୟା କରିବା ସଙ୍ଗେ ସମାନ ।

–ଇମର୍‍ସନ

Image

 

କେଉଁ ସମ୍ରାଟଙ୍କ ଦରବାରରେ ?

 

ମୋଗଲ ସମ୍ରାଟ ଆକବରଙ୍କ ନାମ ଆମ ଭିତରୁ କିଏ ବା ନଶୁଣିଛି ? ଇତିହାସ ବହିମାନଙ୍କର ତାଙ୍କ ବିଷୟରେ କେତେ କଥା ଲେଖାହୋଇ ରହିଛି । ଆକବର ସମ୍ରାଟ ହୁମାୟୁନ୍‌ଙ୍କର ପୁତ୍ର ଥିଲେ । ସେ ଯୋଦ୍ଧା ଥିଲେ, କୌଶଳୀ ଥିଲେ, ବୀର ଥିଲେ; ସବୁ ଧର୍ମର ସାରକୁ ଏକାଠି ଫେଣ୍ଟି ଗୋଟିଏ ନୂଆ ଧର୍ମ ତିଆରି କରିବାକୁ ସେ ଭାରି ଚେଷ୍ଟା କରିଥିଲେ । ରାଜପୁତ ରାଜା ରାଣା ପ୍ରତାପଙ୍କୁ ପରାସ୍ତ କରି ଆକବର ଚିରୋରଗଡ଼ ଜୟ କରିଥିଲେ । ଆକବର ଗୁଣୀ ଥିଲେ, ଗୁଣର ଆଦର କରିଥିଲେ । ସିଏ ନିଜେ କୌଣସି ପାଠ ପଢ଼ି ନଥିଲେ ମଧ୍ୟ ପାଠର ଆଦର କରୁଥିଲେ । ଅସୀମ ଧୈର୍ଯ୍ୟର ସହିତ ଜ୍ଞାନୀମାନଙ୍କର ସଭା ବସାଇ ଜ୍ଞାନର କଥା ଶୁଣୁ ଥିଲେ ।

 

ଆକବରଙ୍କ ସଭାରେ ବୀରବଲ୍‌ ଥିଲେ, ତାନସେନ୍‌ ବି ଥିଲେ । ତାନସେନ୍‍ ଏକାଧାରରେ କବି ଥିଲେ, ସଙ୍ଗୀତଜ୍ଞ ଥିଲେ । ଫତେପୁର ସିକ୍ରିଠାରେ ସମ୍ରାଟ ଆକବର ବେଶ୍‌ କେତେ ବର୍ଷ ପାଇଁ ଆପଣାର ଯେଉଁ ନୂଆ ରାଜଧାନୀ ବସାଇଥିଲେ, ସେଠାରେ ମହଲ ଗୁଡ଼ାକର ଠିକ୍‌ ମଝି ଜାଗାରେ ଯେଉଁଠାରେ ତାନସେନ୍‌ ବସି ସମବେତ ସମୁଦାୟ ଦରବାରକୁ ସଙ୍ଗୀତ ଶୁଣାଉଥିଲେ, ସେହି ସ୍ଥାନ ଏବେ ମଧ୍ୟ ଠିକ୍‌ ସେହିପରି ରହିଛି ।

 

ସଙ୍ଗୀତଜ୍ଞ ତାନସେନ୍‌ ଯାହାଙ୍କଠାରୁ ସଙ୍ଗୀତ ଶିକ୍ଷା କରିଥିଲେ, ସିଏ ହେଉଛନ୍ତି ହରିଦାସ ସ୍ୱାମୀ । ହରିଦାସ ସ୍ୱାମୀ ସନ୍ନ୍ୟାସୀ ଥିଲେ । ସେ ବୃନ୍ଦାବନରେ ବାସ କରୁଥିଲେ । ସଙ୍ଗୀତର ମାଧ୍ୟମରେ ହିଁ ସେ ସେଠାରେ ଈଶ୍ୱରଙ୍କର ଆରାଧନା କରୁଥିଲେ । ତାଙ୍କର ଖ୍ୟାତି ଦିଲ୍ଲୀ ଓ ଆଗ୍ରା ପର୍ଯ୍ୟନ୍ତ ବ୍ୟାପ୍ତ ହୋଇ ରହିଥିଲା । ତାନସେନ୍‌ଙ୍କର ସଙ୍ଗୀତରେ ମୁଗ୍ଧ ହୋଇ ଯେତେବେଳେ ବାଦଶାହ ଆକବର ତାଙ୍କର ପ୍ରଶଂସା ଗାନ କରୁଥିଲେ, ସେତେବେଳେ ପ୍ରାୟ ଲଜ୍ଜିତ ହେଲା ପରି ତାନସେନ୍‌ କହୁଥିଲେ ଯେ, ସିଏ ଯାହା କିଛି ଶିକ୍ଷା କରିଛନ୍ତି, ସବୁ ଗୁରୁ ହରିଦାସ ସ୍ୱାମୀଙ୍କଠାରୁ ହିଁ ଶିକ୍ଷା କରିଛନ୍ତି । ତେଣୁ ଅସଲ କୃତିତ୍ୱ ହେଉଛି ତାଙ୍କରି । ବାଦଶାହ ଯଦି ଥରେ ହରିଦାସ ସ୍ୱାମୀଙ୍କର ସଙ୍ଗୀତ ଶ୍ରବଣ କରିବେ, ତେବେ ସେ ଅସଲ ସଙ୍ଗୀତ କ’ଣ ତାହା ଜାଣିପାରିବେ ଏବଂ ତାପରେ ଆଉ ତାନସେନ୍‌ଙ୍କୁ ଏତେଗୁଡ଼ାଏ ପ୍ରଶଂସା କରିବେ ନାହିଁ ।

 

ଏହିପରି ପ୍ରଶଂସା ବାକ୍ୟମାନ ଶୁଣି ଶୁଣି ସମ୍ରାଟ ଆକବରଙ୍କ ମନରେ ହରିଦାସ ସ୍ୱାମୀଙ୍କର ସଙ୍ଗୀତ ଶ୍ରବଣ କରିବା ନିମନ୍ତେ ଲାଳସା ପ୍ରବଳ ହେଲା । ସଙ୍ଗୀତଜ୍ଞଙ୍କର ଦର୍ଶନ ଲାଭ କରିବା ଲାଗି ସେ ପ୍ରାୟ ଅସ୍ଥିର ହୋଇ ପଡ଼ିଲେ । ଗୁରୁ ହରିଦାସ ସ୍ୱମୀଙ୍କ ପାଖକୁ ନିମନ୍ତ୍ରଣ, ଗଲା, ଚାର ପଠାଗଲା । ସମ୍ବାଦ ଗଲା ଯେ ସ୍ୱୟଂ ସମ୍ରାଟ ତାଙ୍କର ମଧୁର ସଙ୍ଗୀତ ଶୁଣିବା ଲାଗି ଆଗ୍ରହ ପ୍ରକାଶ କରୁଛନ୍ତି । ତେଣୁ ଥରେ ଅନୁଗ୍ରହ ପୂର୍ବକ ରାଜଦରବାରକୁ ଆସିବେ ଓ ସମ୍ରାଟଙ୍କୁ ସଙ୍ଗୀତ ଶୁଣାଇବେ । ଖବର ଯଥା ସ୍ଥାନରେ ଯାଇ ପହଞ୍ଚିଲା ସତ, ମାତ୍ର ହରିଦାସ ସ୍ୱାମୀ ଆସିଲେ ନାହିଁ । ଜଣେ ପ୍ରକୃତ ସଙ୍ଗୀତକାର ହିସାବରେ ସିଏ ରାଜଦରବାରକୁ ଆସିବା ସକାଶେ ଇଚ୍ଛା ପ୍ରକାଶ କଲେ ନାହିଁ । ଶୋଷ ସିନା ପାଣି ପାଖକୁ ଆସିବ, ମାତ୍ର ପାଣି କାହିଁକି କାହାର ଆଦେଶ ପାଳନ କରି ଶୋଷର ଦୁଆରକୁ ଯିବ ? ଏହିପରି ଏକ ଇଂଗିତ ପାଇ ସମ୍ରାଟ ଆକବର ମୋଟେ କ୍ରୂଦ୍ଧ ହେଲେ ନାହିଁ । ସଂଗୀତକାରଙ୍କର ଏହି କୁଣ୍ଠାକୁ ସେ ଭାରି ଭଲ ଭାବରେ ବୁଝି ପାରିଲେ ଏବଂ ସେ ନିଜେ ହରିଦାସ ସ୍ୱାମୀଙ୍କ ପାଖକୁ ଯିବେ ବୋଲି ସ୍ଥିର କଲେ ।

 

ସାଙ୍ଗରେ ତାନସେନ୍‌ଙ୍କୁ ଧରି ସମ୍ରାଟ ପ୍ରବଳ ଆଗ୍ରହରେ ବୃନ୍ଦାବନ ଯାତ୍ରା କଲେ । ସମ୍ରାଟ ନିଜେ ଯାଇ ହରିଦାସ ସ୍ୱାମୀଙ୍କର ଆଶ୍ରମରେ ପହଞ୍ଚିଲେ । ହରିଦାସଙ୍କ ପାଖରେ ସେହି ସମ୍ବାଦଟି ମଧ୍ୟ ପହଞ୍ଚିବାକୁ ଆଦୌ ବିଳମ୍ବ ହେଲା ନାହିଁ । ତାଙ୍କର ଶିକ୍ଷ୍ୟ ସ୍ୱୟଂ ତାନସେନ୍‌ ଯାଇ ଗୁରୁଙ୍କ ପାଖରେ ଅନୁରୋଧ ଜଣାଇଲେ ଯେ, ବାଦଶାହ ବର୍ତ୍ତମାନ ତାଙ୍କ ପାଖକୁ ସଂଗୀତ ଶୁଣିବା ଲାଗି ଆସିଛନ୍ତି । ଏଥର ଯେପରି ସିଏ ଦିଲ୍ଲୀର ଈଶ୍ୱରଙ୍କୁ ନିରାଶ କରି ଫେରାଇ ନଦିଅନ୍ତି ! ହରିଦାସ ସ୍ୱାମୀ ତଥାପି ସମ୍ମତ ହେଲେ ନାହିଁ । ସମ୍ରାଟଙ୍କ ସମ୍ମୁଖରେ ସଂଗୀତ ଗାନ କରିବାକୁ ସିଏ ତେବେ ସୁଦ୍ଧା ଇଚ୍ଛା କଲେ ନାହିଁ । ଗୁରୁଙ୍କୁ ଗୋଟାସୁଦ୍ଧା ଖୁବ୍‌ ଭଲ କରି ଚିହ୍ନିଥିବା ଶିକ୍ଷ୍ୟ ତାନସେନ୍‌ଙ୍କୁ ଏହି ସଙ୍କଟର ସମାଧାନ ଲାଗି ଏଥର ଅନ୍ୟ ପନ୍ଥା ଗ୍ରହଣ କରିବାକୁ ପଡ଼ିଲା ।

ହରିଦାସ ସ୍ୱାମୀଙ୍କୁ ଆଉ ଅତିରିକ୍ତ ଭାବରେ ଅନୁରୋଧ ନକରି ସେଇଠୁ ତାନସେନ୍‌ ନିଜେ ସଂଗୀତ ଗାନ କରିବା ଆରମ୍ଭ କରିଦେଲେ । ଆପଣାର ଗୀତଟିକୁ ସିଏ ଜାଣିଶୁଣି ଭୁଲ କରି ଗାଇଲେ । ଗୁରୁ ଆଗରେ ଶିଷ୍ୟ ଭୁଲ କରିବ । ଆଉ ସେହି କ୍ଷେତ୍ରରେ ଗୁରୁ କଣ କେବେହେଲେ ଚୁପ୍‌ ହୋଇ ରହିପାରିବ ? ହରିଦାସ ସ୍ୱାମୀଙ୍କର ଗୋଡ଼ ଖସିଗଲା, ସଂକଳ୍ପ ଭାଙ୍ଗି ଗଲା । ତାନସେନ୍‌ଙ୍କ ଲାଗି ସଂଗୀତଟିଏ ସଂଶୋଧନ କରିଦେବା ଉଦ୍ଦେଶ୍ୟରେ, ସେ ଏଥର ନିଜେ ଗୀତଟିକୁ ଗାଇବା ଆରମ୍ଭ କରିଦେଲେ । ଚତୁର ଶିକ୍ଷ୍ୟ ବିଜୟ ଲାଭ କଲେ । ସମ୍ରାଟ ଆକବରଙ୍କର ମନସ୍କାମନା ପୂର୍ଣ୍ଣ ହେଲା ।

ବାଦଶାହ କେବଳ ସ୍ତମ୍ଭୀଭୂତ ହୋଇ ସଂଗୀତର ଅମୃତରସ ଶ୍ରବଣ କରିବାକୁ ଲାଗିଲେ-। ଜନରବ ରହିଛି ଯେ, ସଂଗୀତ ଶୁଣୁଶୁଣୁ ସେ ଏକ ଅପୂର୍ବ ଭାବାବେଶ ମଧ୍ୟରେ ପ୍ରାୟ ସଂଜ୍ଞାହୀନ ହୋଇ ପଡ଼ିଲେ । ସଂଜ୍ଞା ଫେରିଆସିବା ପରେ ସେ ଆପଣାର ପରମମିତ୍ର ତାନସେନ୍‌ଙ୍କୁ ପ୍ରଶ୍ନ କଲେ, ‘‘ତାନସେନ୍‌, ତୁମର ଗୁରୁ ଯେପରି ଅଦଭୂତ ଭାବରେ ସଂଗୀତ ସୃଷ୍ଟି କରି ପାରୁଛନ୍ତି, ତୁମେ ନିଜେ ସେପରି ସୃଷ୍ଟି କରି ପାରନାହିଁ କାହିଁକି ?’’ ପ୍ରଶ୍ନଟିର ଉତ୍ତର ଦେଇ ତାନସେନ୍‌ ତତ୍‌କ୍ଷଣାତ୍‌ କହିଥିଲେ, ‘‘ମଣିମା, ମୁଁ ସଂଗୀତ ଗାଏ କେବଳ ଏହି ପୃଥିବୀର ଜଣେ ସମ୍ରାଟଙ୍କର ଦରବାରରେ । ମାତ୍ର, ମୋ’ ଗୁରୁ ହରିଦାସ ସ୍ୱାମୀ ଗାନ କରନ୍ତି ସ୍ୱୟଂ ବିଶ୍ୱ ସମ୍ରାଟଙ୍କର ଦରବାରରେ ; ପରମେଶ୍ୱରଙ୍କ ଦରବାରରେ । ତାହାହିଁ ଏକମାତ୍ର କାରଣ ।’’

ମୋଗଲ କାଳରେ ଗୋଟିଏ ଚିତ୍ରରେ ଏହି କାହାଣୀଟି ଅଙ୍କିତ ହୋଇ ରହିଛି । ଗୋରା ତକତକ ଦେହ ଦୀର୍ଘବପୁ ହରିଦାସ ସ୍ୱାମୀ ହାତରେ ତାନପୁରା ଧରି ନିଜ ଆଶ୍ରମର ଦ୍ୱାରଦେଶରେ ବସି ସଂଗୀତ ଗାନ କରୁଛନ୍ତି । ଦ୍ୱାରର ଅନତି ଦୂରରେ କଦଳୀ ଓ ଅନ୍ୟାନ୍ୟ ଆଉ କେତେ ଗଛର ଶୀତଳ ଛାୟା ବିସ୍ତୃତ ହୋଇ ରହିଛି । ସାବନା ଓ ସରୁ ହୋଇ ଦେଖା ଯାଉଥିବା ତାନସେନ୍‌ ମାଟି ଉପରେ ବସିଛନ୍ତି ଓ ବାଦଶାହ ଆକବର ଛିଡ଼ା ହୋଇ ରହି ସେହି ସଂଗୀତକୁ ଶ୍ରବଣ କରୁଛନ୍ତି ଅଦୂରରୁ ସମ୍ରାଟଙ୍କର ଛାଉଣି ବେଶ ଦୃଷ୍ଟିଗୋଚର ହେଉଛି । ଆହୁରି ଦୂରରେ ନଗରଟିଏ ଆଭାସ ଚିତ୍ର ରୂପେ ବିଦ୍ୟମାନ ରହିଛି ।

କିଏ ପ୍ରକୃତରେ କାହା ଦରବାରରେ ଗୀତ ବୋଲେ ? କିଏ କାହା ଦରବାରରେ ସାହିତ୍ୟ ଲେଖେ, ପାଣ୍ଡିତ୍ୟ କରେ, ସଭାସଦ ହୁଏ ? କିଏ କେଉଁ ସମ୍ରାଟଙ୍କର ସେବା କରେ ? କିଏ କାହା ପାଇଁ ବା କେଉଁଥି ପାଇଁ ଆପଣାର ଜୀବନ ବଞ୍ଚେ, କାହାର ଭୃତ୍ୟ ହୋଇ ରହିବ ବୋଲି ଆପଣାକୁ ତାଲୀମ ଦେଉଥାଏ ? ଆମେ ସମସ୍ତେ କାହାପାଇଁ ଯୋଗ୍ୟ ହେଉ, କ’ଣ ଲାଗି ପାଠ ପଢ଼ୁ–କ’ଣ ପାଇବା ଲାଗି ବା ନିଜକୁ କାହା ଦ୍ୱାରରେ ନିଯୁକ୍ତ କରି ରଖିବା ଲାଗି ଗୁଣ ଅର୍ଜନ କରୁ, ଗୁଣୀ ହେଉ, ପ୍ରସିଦ୍ଧ ହେଉ ? ଆମେ ତାନସେନ୍‌ଙ୍କ ପରି ଏହି ପୃଥିବୀର କୌଣସି ବାଦଶାହଙ୍କ ଦରବାରରେ ଗାନ କରିବା ଲାଗି ନିଜକୁ ମଣ କରି ରଖିଥାଉନା ହରିଦାସ ସ୍ୱାମୀଙ୍କ ପରି ସ୍ୱୟଂ ପରମେଶ୍ୱରଙ୍କ ଦରବାର ନିମନ୍ତେ ନିଜକୁ ଯୋଗ୍ୟରୁ ଯୋଗ୍ୟତର କରିବାରେ ଲାଗିଥାଉ ? ଏଗୁଡ଼ିକ ଆଦୌ କୌଣସି ବହିର ପ୍ରଶ୍ନ ନୁହେଁ, ଏସବୁ ହେଉଛି ଆମ ନିଜ ଜୀବନର ପ୍ରଶ୍ନ । ଏସବୁ ଗୋଟିଏ ଗୋଟିଏ ବାସ୍ତବ ପ୍ରଶ୍ନ ।

 

ଗୋଟିଏ ମଞ୍ଜିଭିତରେ ଗୋଟିଏ ଅରଣ୍ୟ ତିଆରି କରିବାର ସମ୍ଭାବନା ପୂରିରହିଛି ।

-ଇମରସନ୍

 

ପୂର୍ବ ପୁରୁଷର ଗୌରବ ଅଯୋଗ୍ୟ ଲୋକ ପକ୍ଷରେ ଅନେକ ସମୟରେ ବୋଝ ଭଳି କାମକରେ ।

-ୟଙ୍ଗ

 

ଯେଉଁ ଲୋକର ନିଜର କିଛି ମୂଲ୍ୟନାହିଁ ସେ ଅନ୍ୟକୁ ତିବ୍ର ସମାଲୋଚନା କରେ–ଏଇ ହେଲା ସଂସାର ବଚିତ୍ରତା ।

-ମାଗୁନ୍

 

ଜ୍ଞାନ ହେଉଛି ଦରିଦ୍ରର ସମ୍ପଦ, ଧନୀର ସମ୍ମାନ, ଯୁବକର ଭରସା ଓ ବୃଦ୍ଧର ଶାନ୍ତି ତଥା ସୁଖ ।

-ଲେଭେଟର୍

Image

 

ଗାନ୍ଧିଜୀଙ୍କ ପିଲା ଦିନ

 

ଗାନ୍ଧିଜୀଙ୍କ ଆମେ ସମସ୍ତେ ଅତି ବଡ଼ ବୋଲି ଜାଣିଛୁ । ପୃଥିବୀରେ ସବୁଆଡ଼େ ଲୋକେ ତାଙ୍କୁ ମହାତ୍ମାଗାନ୍ଧୀ ବୋଲି କହନ୍ତି । ଅନେକ ସ୍ଥାନରେ ତାଙ୍କର ମୂର୍ତ୍ତିକୁ ପୂଜା କରାଯାଏ । କିନ୍ତୁ ତାଙ୍କର ପିଲାଦିନ କଥା ଆମେ ସେତେ ଭଲକରି ଜାଣୁନାହିଁ । ଗାନ୍ଧିଜୀ ମଧ୍ୟ ଦିନେ ପିଲା ଥିଲେ । ତାଙ୍କର ପରିବାରରେ ବାପା ମାଆ ସେମାନଙ୍କ ସୁନା ପୁଅ ମୋହନକୁ ଭାରି ଆଦର କରୁଥିଲେ, ଠିକ୍ ଯେପରି ସବୁ ବାପ ମାଆ ଆପଣାର ପୁଅ ଝିଅକୁ ଆଦର କରନ୍ତି । ଗାନ୍ଧିଜୀଙ୍କର ଆତ୍ମ କଥା ପଢ଼ିଲେ ତାଙ୍କର ପିଲାଦିନ ବିଷୟରେ ଆମେ ଅନେକ କାହାଣୀ ଜାଣିପାରିବା ।

 

ଛୋଟରୁ ସମସ୍ତେ ବଡ଼ ହୁଅନ୍ତି । ଧାନଗଛ ଛୋଟ ହୋଇଥିବା ବେଳେ ଚାଷୀକୁ ବିଲରେ କେତେ ମେହେନତ୍ କରିବାକୁ ପଡ଼େ । ଫୁଲଟି ଫୁଟିବ ବୋଲି ବଗିଚାର ମାଳୀ ଫୁଲଗଛଟି ପାଇଁ କେତେ ଯତ୍ନ କରେ । ସେହିପରି ପିଲାଦିନରେ ଯିଏ ଯେତିକି ସ୍ନେହ ଓ ସୁଶିକ୍ଷା ପାଇଥାଏ, ବଡ଼ ହୋଇ ସେ ସେତିକି ଭଲ ହୁଏ । ସେତିକି ବେଶୀ ସମ୍ମାନ ପାଏ । ଗାନ୍ଧିଜୀଙ୍କର ପିଲାଦିନର କେତୋଟି କାହାଣୀ ଆମେ ବର୍ତ୍ତମାନ ଶୁଣିବା । ପ୍ରାୟ ଆମ ପ୍ରତ୍ୟେକଙ୍କର ଜୀବନରେ ପିଲାଦିନେ ଏହିପରି କାହାଣୀମାନ ଘଟିଥାଏ । ସେହି ସାନ ପିଲାଟିର କାହାଣୀରୁ ଚାଲ ଆମେ ଭବିଷ୍ୟତର ମହାତ୍ମାଙ୍କୁ ଖୋଜିବାକୁ ଯିବା ।

 

ପିଲାଦିନରୁ ଗାନ୍ଧିଜୀ ଭାରି ରୋଗା ଓ ସରୁଆ ଦେଖା ଯାଉଥିଲେ । ସେ କିପରି ଆଉ ଟିକିଏ ମୋଟା ହୁଅନ୍ତେ, ତାଙ୍କର ଦେହରେ କିପରି ଆଉ ଟିକିଏ ମାଂସ ଓ ଚର୍ବି ହୁଅନ୍ତା, ସେଥିପାଇଁ ତାଙ୍କ ମନରେ ସେ ଭାରି ଚିନ୍ତା କରୁଥିଲେ । ଦିନେ ତାଙ୍କର ମୋଟା ହେବାର ଗୋଟିଏ ଉପାୟ ବତାଇଲା । ସେ କହିଲା: ‘‘ଦେଖନ୍ତୁ, ଜଣେ ସାଥୀପିଲା ତାଙ୍କୁ ଆସି ସାହେବମାନେ କେଡ଼େ ବଳୁଆ ଆଉ ମୋଟା ସୋଟା ହୋଇଛନ୍ତି । ଆମେ ତ ମାଛ ମାଂସ ଖାଇବା ନାହିଁ । ମୋଟା ହେବା କିପରି ? ମାଛମାଂସ ଖାଉଛନ୍ତି ବୋଲି ସିନା ଇଂରେଜମାନେ ବଳବାନ୍ ହୋଇ ଭାରତ ବର୍ଷକୁ ଶାସନ କରୁଛନ୍ତି ।’’ ଗାନ୍ଧିଜୀଙ୍କର ସରଳ ମନକୁ କଥାଗୁଡ଼ାକ ବେଶ୍ ପାଇଗଲା । ତାଙ୍କ ଘରକୁତ ଦିନେ ହେଲା ଆମିଷ ପ୍ରବେଶ କରେ ନାହିଁ । ମୋଟା ହେବାର ଲୋଭରେ ପଡ଼ି ସାଙ୍ଗସାଥିରେ ସେ ହୋଟେଲକୁ ମାଂସ ଖାଇବାକୁ ଯିବା ଲାଗି ଠିକ୍ କଲେ ।

 

ସାଙ୍ଗପିଲାଟି ଏପରି ଭାବରେ ସବୁକଥା ବ୍ୟବସ୍ଥା କରିଦେଲା ଯେ କେହି କିଛି ଜାଣିପାରିଲେ ନାହିଁ । କିନ୍ତୁ ମାଂସତକ ତାଙ୍କର ପେଟଭିତରେ ପଡ଼ି ସାରିବା ପରେ ଗାନ୍ଧିଜୀଙ୍କର ମନ କ’ଣ ହୋଇଗଲା । ଲୁଚିକରି ସେ ଏଡ଼େ ବଡ଼ କାଣ୍ଡଟାଏ କରିଦେଇ ଆସିଲେ । ତାଙ୍କୁ ମନେ ମନେ ଭାରି ଲାଜ ଲାଗିଲା । ରାତିଯାକ ସେହି କଥା ଚିନ୍ତା କରି ସେ ବିଛଣା ଉପରେ ଖାଲି ଛଟପଟ ହେଉଥାନ୍ତି । ଶୋଇପଡ଼ିବା ପରେ ସେ ସ୍ୱପ୍ନରେ ଦେଖିଲେ ଯେପରି ଛେଳିଟା ତାଙ୍କର ପେଟ ଭିତରେ ମେଁ ମେଁ ଡାକୁଛି । ଲୁଚି କରି ସେ ପ୍ରକୃତରେ ଏତେ ବଡ଼ କାଣ୍ଡଟାଏ କରି ପକାଇଲେ ।

 

ପିଲାଦିନେ ନାନା ପ୍ରକାର ଭଲକଥା କରିବାକୁ ଏବଂ ଦେଖିବାକୁ ମନ ହୁଏ । ବାଳକ ମୋହନ ଦାସ ମଧ୍ୟ ଏହିପରି ପ୍ରଲୋଭନରେ ପଡ଼ି କେତେ କଥା କରି ପକାଉଥିଲେ । ସେଥିପାଇଁ ତ ପୁଣି ପଇସା ଦରକାର । ଗାନ୍ଧିଜୀ ମଝିରେ ମଝିରେ ବାପାଙ୍କ ପକେଟରୁ ଲୁଚାଇ କରି ପଇସା ନେଇଯାଆନ୍ତି ଓ ତାହାକୁ ଖର୍ଚ୍ଚ କରନ୍ତି । କ୍ରମେ ତାଙ୍କର ଏହି ବଦଭ୍ୟାସ ବଢ଼ିବାରେ ଲାଗିଥାଏ । ମାତ୍ର ଏଣେ ଆପଣା ମନ ଭିତରେ ତାଙ୍କୁ ଏହି ଭଳି ଆଚରଣ ବଡ଼ ଖରାପ ଲାଗୁଥାଏ । ବାପାଙ୍କର ପକେଟରୁ ସେ ପଇସା ନେଲାବେଳେ ସେକଥା କେହି ଦେଖୁ ନାହାନ୍ତି । ଘରେ ଜଣେ ହେଲେ କେହି ତାଙ୍କୁ କଦାପି ସନ୍ଦେହ କରୁନାହାନ୍ତି । ତଥାପି ତ ସେ ଲୁଚାଇ କରି ସବୁକଥା କରୁଛନ୍ତି । କେହି ଦେଖନ୍ତୁ ବା ନ ଦେଖନ୍ତୁ, ଲୁଚାଇ କରି କିଛି କରିବାକୁ ତ କଦାପି ଭଲ କାମ ବୋଲି କୁହାଯାଇ ପାରିବ ନାହିଁ । ଦିନକୁ ଦିନ ତାଙ୍କ ମନର ଲଜ୍ଜା ତାଙ୍କୁ ଅସ୍ଥିର କରି ପକାଇଲା ।

 

ତେବେ ନିସ୍ତାର ପାଇବାର ଉପାୟ କଣ ? ବାପାଙ୍କ ପାଖକୁ ଯାଇ ଦିନେ ସବୁକଥା କହି ସିଧା ମାନିଯିବା ଦରକାର । କିନ୍ତୁ ବିବେକ ଏପରି ଏକ ଉପାୟ ବତାଇଲେ କ’ଣ ହେବ, ମନେ ମନେ ଗାନ୍ଧିଜୀ ବାପାଙ୍କୁ ଭାରି ଭୟ କରୁଥାନ୍ତି । ବାପା ଭାରି ରାଗୀ ଲୋକ, ଏକଥା ତାଙ୍କୁ ଭଲ ଭାବରେ ଜଣାଥାଏ । ତେଣୁ ତାଙ୍କ ଆଗରେ ସାହସ କରି ଠିଆ ହେବା ତ ମୁଷ୍କିଲ, ପୁଣି ଏତେକଥା କହିବା ତାଙ୍କ ପକ୍ଷରେ ସମ୍ଭବ ହେବ କିପରି ? ମନ ଭିତରେ ଅନକେ ବିଚାର କରି ସେ ଯେଉଁସବୁ ବିଷୟ ଲୁଚାଇକରି ରଖିଥିଲେ, ସବୁ ଗୋଟିଏ କାଗଜରେ ଲେଖିଲେ ଓ ତା’ପରେ ବାପାଙ୍କ ପାଖକୁ ଯାଇ ତାଙ୍କୁ ସେହି କାଗଜଟି ବଢ଼ାଇଦେଲେ ଏବଂ ନୀରବ ହୋଇ ସେହିଠାରେ ଦଣ୍ଡାୟମାନ ରହିଲେ । ବାପା କାଗଜଟି ପଢ଼ି ପଢ଼ି ଯାଉଥାନ୍ତି ଓ ତାଙ୍କର ନୟନ ଅଶ୍ରୁରେ ଛଳଛଳ ହୋଇ ଆସୁଥାଏ । ଯେଉଁ ସାହସୀ ପୁତ୍ର ବାପାଙ୍କ ପାଖରେ ଆପଣାର ସବୁ ମନ୍ଦକଥା ଖୋଲି କହି ଦେଇପାରେ, ସେହି ପୁତ୍ରକୁ ଶାସ୍ତି ଦେବାକୁ କେଉଁ ବାପାର ହାତ ଯିବ ? ଗାନ୍ଧିଜୀଙ୍କର ମନଭିତରେ ଯେତେ ଲାଜ ଓ ଲୋଭ ଲୁଚି ରହିଥିଲା, ବାପାଙ୍କର ଆଖିକୁ ଅନାଉ ଅନାଉ ସେସବୁ ଧୌତ ହୋଇ ଚାଲିଗଲାପରି ଲାଗିଲା ।

 

ଗାନ୍ଧିଜୀ ଯେଉଁ ସ୍କୁଲରେ ପଢ଼ୁଥିଲେ, ଥରେ ଜଣେ ସରକାରୀ ପରିଦର୍ଶକ ସେହି ସ୍କୁଲ ପରିଦର୍ଶନ କରିବାକୁ ଆସିଥିଲେ । କ୍ଲାସରେ ପିଲାମାନଙ୍କୁ ପ୍ରଶ୍ନ ପଚାରି ସେ ପିଲାମାନଙ୍କର ପାଠ ପରୀକ୍ଷା କରୁଥିଲେ । ଗାନ୍ଧିଜୀଙ୍କ ଉପରେ ଗୋଟିଏ ଇଂରାଜୀ ଶବ୍ଦକୁ ବନାନ୍ କରିବାପାଇଁ ପ୍ରଶ୍ନ ଆସି ପଡ଼ିଲା । ଗାନ୍ଧିଜୀ ସେହି ଶବ୍ଦର ବନାନଟି ଜାଣିନଥିଲା । ତେଣୁ ସେ ପ୍ରଶ୍ନର ଉତ୍ତର ଦେଇ ପାରୁନଥାନ୍ତି । ପରିଦର୍ଶକଙ୍କର ପଛରେ ଠିଆହୋଇ ଶିକ୍ଷକ ଗାନ୍ଧିଜୀଙ୍କୁ ବନାନ୍‍ଟି ବତାଇ ଦେବାକୁ ଖୁବ୍ ଉଦ୍ୟମ କରୁଥାନ୍ତି । ପିଲାମାନେ ପାଠ କହିପାରିଲେ ପରିଦର୍ଶକ ବିଦ୍ୟାଳୟର ଖାତାରେ ଭଲ ମନ୍ତବ୍ୟ ଲେଖିଯିବେ । ପିଲାମାନେ ପାଠ ନକହି ପାରିଲେ ତ ଶିକ୍ଷକଙ୍କର ସର୍ବନାଶ ହୋଇଯିବ । ଏହି ଭୟରେ ସେ ଭାରି ଚେଷ୍ଟା କରୁଥାନ୍ତି କିପରି ତାଙ୍କଠାରୁ ଇସାରା ପାଇ ଗାନ୍ଧିଜୀ ବନାନ୍‍ଟି ଠିକ୍ ଠିକ୍ କହିଦିଅନ୍ତୁ । ଯେକୌଣସି ପ୍ରକାରେ ବନାନ୍‍ଟା କହି ଦେଇପାରିଲେ ସିନା ପରିଦର୍ଶକ ସନ୍ତୁଷ୍ଟ ହେବେ ! କିନ୍ତୁ ଗାନ୍ଧିଜୀ ବଡ଼ ଅବାଧ୍ୟ ପିଲା । ସେ ଶିକ୍ଷକଙ୍କ ଆଡ଼କୁ ଅନାଇଲେ ନାହିଁ କି ବନାନ୍‍ଟି କହିପାରିଲେ ନାହିଁ । ପରିଦର୍ଶକ ଚାଲିଯିବାପରେ ଆଉ ଶିକ୍ଷକଙ୍କର କ୍ରୋଧ ଦେଖିବ କିଏ ? ଅବାଧ୍ୟ ମୋହନ ଉପରେ ସେ ଭାରି ବିରକ୍ତ ହେଲେ । କିନ୍ତୁ ମୋହନ ଗମ୍ଭୀର ଭାବରେ ଉତ୍ତର ଦେଲା ‘‘ମୁଁ ତ ନିଜେ ବନାନ୍‍ଟି ମନେ ରଖି ପାରିନଥିଲି । ତେଣୁ ଆପଣଙ୍କର ଇସାରା ପାଇ ଉତ୍ତର ଦେଇଥିଲେ ମୋ’ର ଭାରି ଅନ୍ୟାୟ ହୋଇଥାନ୍ତା ।’’

 

ପିଲାଦିନରୁ ଗୋଟିଏ କଥାକୁ ଗାନ୍ଧିଜୀ ମୂଳକରି ଧରିଥିଲେ । ସେ କୌଣସି କଥା ଗୋପନରେ କରୁନଥିଲେ କି କଦାପି ମିଛ କହୁନଥିଲେ । ଏହି ଗୋଟିଏ ଗୁଣ ପୃଥିବୀରେ ତାଙ୍କୁ ଏଡ଼େବଡ଼ ମଣିଷ କରାଇ ପାରିଲା । ଯିଏ ଲୁଚାଇକରି କିଛି କରିବ ବା ଯିଏ ମିଛ କହିବ, ତାକୁ ନାନା ଦିଗରୁ ନାନା ପ୍ରକାରର ଭୟ କାମୁଡ଼ି ଧରିଥିବ । ଅସତ୍ୟ ଓ ଭୟ ହେଉଛି ମନୁଷ୍ୟର ପ୍ରଧାନ ଶତ୍ରୁ । ଏହି ଶତ୍ରୁକୁ ଜୟ କରିପାରିଲେ ମଣିଷ ବଡ଼ ହୋଇପାରିବ । ସାରା ପୃଥିବୀରେ ତା’ର ଗୁଣର ଗୌରବ ପ୍ରକଟ ହୋଇପାରିବ । ଶେଷଜୀବନ ପର୍ଯ୍ୟନ୍ତ ଗାନ୍ଧିଜୀ ଏହି ସତ୍ୟ ଉପରେ ସବୁଠାରୁ ଅଧିକ ଗୁରୁତ୍ୱ ଦେଉଥିଲେ । ତାଙ୍କର ଆତ୍ମକଥା ବର୍ଣ୍ଣନା କରି ସେ ଯେଉଁ ଗ୍ରନ୍ଥ ଲେଖିଛନ୍ତି, ତାହାର ନାମ ହେଉଛି, ‘ସତ୍ୟର ପ୍ରୟୋଗ’ ।

Image

 

ଉସ୍ତାଦ୍ ଆଲ୍ଲାଉଦ୍ଦିନ୍ ଖାଁ

 

ସଙ୍ଗୀତ ଏକ ଧନ୍ଦା ହୋଇପାରେ, ଆଉ କାହାର ଜୀବନରେ ସଙ୍ଗୀତ ଏକ ସଉକ ମଧ୍ୟ ହୋଇପାରେ । ଅର୍ଥାତ୍, ଗାଇବା ଓ ବଜାଇବା ଦ୍ୱାରା ଜଣେ ମଣିଷ ତାର ଜୀବିକା ନିର୍ବାହ କରିପାରେ, ସଙ୍ଗୀତ ଗାଇବା କୌଣସି ବାଦ୍ୟଯନ୍ତ୍ର ବଜାଇ ଆଉ ଜଣେ ଅବସର ବିନୋଦନ ବି କରିପାରେ । ମାତ୍ର,ସଙ୍ଗୀତ ଯେ ସତକୁ ସତ ଏକ ସାଧନା ହୋଇପାରେ, ଜୀବନରେ କେବଳ ଗୋଟିଏ ପେଶା ନହୋଇ ତାହା ଯେ ଜଣେ ମଣିଷର ସମଗ୍ର ଜୀବନକୁ ଅଧିକାର କରିପାରେ ଓ ସଙ୍ଗୀତ ଲାଗି ଯେ ଆପଣାର ସମଗ୍ର ଜୀବନକୁ ସମର୍ପଣ କରି ରଖା ଯାଇପାରେ, ଉସ୍ତାଦ୍ ଆଲ୍ଲାଉଦ୍ଦିନ୍ ଖାଁ ଆପଣାର ଜୀବନରେ ଓ ଆପଣାର ସଙ୍ଗୀତ ସାଧନାରେ ତାହା ପ୍ରମାଣ କରି ଯାଇଛନ୍ତି ।

 

ସଙ୍ଗୀତ କେବଳ ଗୋଟିଏ ସଉକ ନୁହେଁ, ତାହା ହେଉଛି ସାରା ଜୀବନର ସାଧନା । ସଙ୍ଗୀତ ବାଟରେ ମଧ୍ୟ ଜଣେ ମଣିଷ ଭଗବାନଙ୍କୁ ଖୋଜିପାରେ ଓ ଭଗବାନଙ୍କୁ ଅନୁଭବ କରିପାରେ । ଏହା କେବଳ ଶାସ୍ତ୍ରର କଥା ନୁହେଁ, ଏହା ଅଙ୍ଗେ ନିଭାଇଥିବା କଥା, ସାଧନାର କଥା-। ଏହା ହେଉଛି କୌଣସି ଏକ ମହତ୍ତର ଅନ୍ୱେଷଣ ଲାଗି ନିଜକୁ ସମର୍ପଣ କରିଦେଇ ନିଜର ସମଗ୍ର ଜୀବନକୁ ବଦଳାଇ ଦେଇ ପାରିବାର କଥା । ଭାରତୀୟ ସଙ୍ଗୀତ ସାଧନାରେ ଏହାହିଁ ଉଚ୍ଚତମ ଆଦର୍ଶ ହୋଇ ରହିଆସିଛି । ଉସ୍ତାଦ୍ ଆଲ୍ଲାଉଦ୍ଦିନ୍ ଖାଁ ଆପଣାର ଦୀର୍ଘ ଜୀବନ ଓ ସଙ୍ଗୀତର ସାଧନାରେ ସେହି କଥାଟିକୁ ପ୍ରମାଣ କରିଦେଇ ଯାଇଛନ୍ତି ।

 

ଆପଣା ଆୟୁର ଶହେ ଦଶଟି ମର୍ଷ ମଧ୍ୟରୁ ଅନ୍ତତଃ ଶହେ ବରଷ ଉସ୍ତାଦ୍ ଆଲ୍ଲାଉଦ୍ଦିନ୍ ଖାଁ ସଂଗୀତ ନିମନ୍ତେ ଦେଇଛନ୍ତି । ସଂଗୀତ ଲାଗି ରହିଥିବା ଆପଣାର ନିଷ୍ଠାକୁ ସେ ଆପଣା ଜୀବନ ଧର୍ମର ନିଷ୍ଠାରେ ପରିଣତ କରି ରଖିଛନ୍ତି । ୧୮୬୨ ମସିହାରେ ତ୍ରିପୁରା ରାଜ୍ୟରେ ତାଙ୍କର ଜନ୍ମ ହୋଇଥିଲା ଓ ୧୯୭୨ ମସିହା ସେପ୍ଟେମ୍ୱର ମାସରେ ସେ ଇହଧାମରୁ ବିଦାୟ ନେଲେ । ସଂଗୀତ ହିଁ ତାଙ୍କୁ ଦୀର୍ଘଜୀବୀ କରି ରଖିଥିଲା ଏବଂ ସିଏ ଆପଣାର ସବୁ କିଛି ଦେଇ ଭାରତୀୟ ସଂଗୀତର ଏହି ଯୁଗଟିକୁ ମହିମାମୟ କରି ଦେଇଗଲେ ।

 

ଆଲ୍ଲାଉଦ୍ଦିନଙ୍କ ଘରେ ଅନେକ ଦିନରୁ ସଂଗୀତର ପରମ୍ପରା ରହି ଆସିଥିଲା । ତାଙ୍କର ବାପା ସାଧୁ ଖାଁ ସିତାରର ଉସ୍ତାଦ ଥିଲେ, ବଡ଼ ଭାଇ ତବଲା ବଜାଉଥିଲେ । ମାତ୍ର ତାଙ୍କର ମାଆ ଗୀତଗାଇବା କିମ୍ୱା ବଜାଇବାକୁ ଆଦୌ ଦୁଇ ଆଖିରେ ଦେଖି ପାରୁନଥିଲେ । ନିଜର ସ୍ୱାମୀ ଆଉ ପୁଅ ସଂଗୀତ ପାଇଁ ପାଗଳ ହୋଇ ଏଣେ ଘରଟାକୁ ଉଛନ୍ନ କରିଦେଲେ, ତେଣୁ ସାନପୁଅ ବି ସେଇଥିରେ ବାଇଆ ହୋଇ ରହୁ ବୋଲି ସେ ମୋଟେ ଇଚ୍ଛା କରୁ ନଥିଲେ । କିନ୍ତୁ ଆଲ୍ଲାଉଦ୍ଦିନ୍ ସତେ ଯେପରି କେବଳ ସଂଗୀତ ଲାଗି ହିଁ ଜନ୍ମ ହୋଇଥିଲେ, ସତେ ଅବା ସିଆଡ଼ୁ ଆଜ୍ଞାପାଇ ଆସିଥିଲେ । ଥରେ ସିଏ ଗାଆଁ ଚାଟଶାଳୀରେ ବସି ଥିବାବେଳେ ହଠାତ୍ ନିକଟରେ ଥିବା ଶିବମନ୍ଦିରରେ ଜଣେ ସାଧୁଙ୍କର ସିତାର ବାଦନ ଶୁଣି ଚାଟଶାଳୀରୁ ଲୁଚି ପଳାଇ ଯାଇଥିଲେ । ଚାରିବର୍ଷ ବୟସରୁ ମଧ୍ୟ ସେ ସଙ୍ଗୀତର ବିଭିନ୍ନ ରାଗ ବାରି ପାରୁଥିଲେ ଓ ଠିକ୍ ଭାବରେ ରାଗ ଅନୁସାରେ ତାଳ ଦେଇ ପାରୁଥିଲେ ।

 

ବୟସ ବଢ଼ିବା ସଙ୍ଗ ସଙ୍ଗେ ସଂଗୀତ ତାଙ୍କୁ ଅଧିକରୁ ଅଧିକ ଆକୃଷ୍ଟ କରିବାକୁ ଲାଗିଲା-। ଦିନେ ରାତିରେ ଘରେ ସମସ୍ତେ ଶୋଇଥିବା ଅବସ୍ଥାରେ ସେ ନିଜର ମାତ୍ର କେତେଖଣ୍ଡ ପିନ୍ଧିବା ଲୁଗା ଧରି ଘରୁ ବାହାରି ପଳାଇଗଲେ । ଉଦ୍ଦେଶ୍ୟ, କେଉଁଠାରେ ଜଣେ ଗୁରୁ କରିବେ ଓ ତାଙ୍କରି ଠାରୁ ସଂଗୀତ ବିଦ୍ୟା ଶିକ୍ଷା କରିବେ । ଗୁରୁ ଖୋଜି ସେ ମାସ ମାସ ଧରି ଢାକା, ନବଗ୍ରାମ ଓ କଲିକତାରେ ଏଣେ ତେଣେ ହୋଇ ବୁଲିଲେ । କଲିକତାର ଜଣେ ପ୍ରସିଦ୍ଧ ଗାୟକ ତାଙ୍କୁ କଣ୍ଠସଂଗୀତ ଶିଖାଇବା ଲାଗି ରାଜି ହେଲେ । ଆଉ ଜଣେ ବାଦକ ପଣ୍ଡିତ ଦୟାପରବଶ ହୋଇ ତାଙ୍କୁ ତବଲା ଓ ମୃଦଙ୍ଗ ମଧ୍ୟ ଶିଖାଇଲେ ।

 

ସେତେବେଳେ ବାଳକ ଆଲ୍ଲାଉଦ୍ଦିନ୍ ଦିନକୁ ଥରେ ମାତ୍ର ଖାଉଥିଳେ ଓ ଗୋଟିଏ ଔଷଧ ଦୋକାନର ବାରଣ୍ଡାରେ ଯାଇ ରାତିରେ ଶୋଇ ପଡ଼ୁଥିଲେ । ଏମିତି ସାତ ବର୍ଷ ଗଲା ପରେ ତାଙ୍କର ଗୁରୁ ତାଙ୍କର ନିଷ୍ଠାରେ ସନ୍ତୁଷ୍ଟ ହୋଇ ନିଜେ ତାଙ୍କ ଖାଇବାର ଦାୟିତ୍ୱ ବହନ କଲେ ଓ ତାଙ୍କୁ କିଛି ଲୁଗାପଟା ମଧ୍ୟ କିଣି ଦେଇଥିଲେ । କିନ୍ତୁ ଏଣେ ଆଲ୍ଲାଉଦ୍ଦିନ୍‍ଙ୍କର ଘର ଲୋକେ ତାଙ୍କର ଖବର ପାଇ ସେଠାରେ ଯାଇ ପହଞ୍ଚିଲେ ଓ ତାଙ୍କୁ ଘରକୁ ଫେରାଇ ନେଇ ଆସିଲେ । ଗୋଟିଏ ଦଶ ବର୍ଷର ଝିଅ ସହିତ ତାଙ୍କର ବିବାହ ହୋଇଗଲା । ତଥାପି ଆଲ୍ଲାଉଦ୍ଦିନ୍‍ଙ୍କୁ ଘରେ ବାନ୍ଧି ରଖି ହେଲା ନାହିଁ । ଠିକ୍ ବିବାହ ଦିନ ରାତିରେ ହିଁ ସିଏ ପୁନର୍ବାର ଘର ଛାଡ଼ି ପଳାଇଗଲେ ।

 

ଆଲ୍ଲାଉଦ୍ଦିନ୍ ତାଙ୍କ ଗୁରୁଙ୍କ ପାଖକୁ ପଳାଇଲେ, ମାତ୍ର ଏହା ଭିତରେ ଗୁରୁ ଇହଧାମରୁ ଚାଲି ଯାଇଥିଲେ । ଅତ୍ୟନ୍ତି ମର୍ମାହତ ହୋଇ ଆଲ୍ଲାଉଦ୍ଦିନ୍‍ ଏଣିକି ଆଉ କଣ୍ଠ ସଂଗୀତ ଶିକ୍ଷା ନ କରି କେବଳ ବାଦ୍ୟଯନ୍ତ୍ର ଶିଖିବେ ବୋଲି ସ୍ଥିର କଲେ । ସେ ରାତିରେ ଗୋଟିଏ ବାଦ୍ୟବୃନ୍ଦରେ ରହିଲେ ଓ ଦିନରେ ବେହେଲା, ମହୁରୀ ଶିଖିଲେ । ତାଙ୍କୁ ଯେତେବେଳେ ପନ୍ଦର ବର୍ଷ ବୟସ, ସେତେବେଳେ ସେ ଦଶହରା ସମୟରେ ଦିନେ ଉସ୍ତାଦ୍ ଅହମ୍ମଦ୍ ଅଲ୍ଲିଙ୍କର ସ୍ୱରୋଦ ବାଦନ ଶୁଣିବାକୁ ପାଇଲେ । ସ୍ୱରୋଦ ତାଙ୍କୁ ଏକାବେଳେକେ ମୁଗ୍‍ଧ କରିନେଲା ଓ ସେ ଅହମ୍ମଦ ଅଲ୍ଲିଙ୍କର ଶିଷ୍ୟ ହୋଇ ରହିବା ଲାଗି ତାଙ୍କ ପାଖରେ ଯାଇ ଅଳି କଲେ। ଅହମ୍ମଦ ଅଲ୍ଲି ପ୍ରଥମେ ମନା କରୁଥିଲେ, କିନ୍ତୁ ଶେଷରେ ରାଜି ହେଲେ । ଆଲ୍ଲାଉଦ୍ଦିନ୍‍ ତାଙ୍କ ପାଖରେ ଚାକର ଆଉ ପୂଜାରୀ ବି ହୋଇ ରହିଲେ, ତାଙ୍କ ଘରେ ସବୁ କାମ କଲେ । କିନ୍ତୁ ଅହମ୍ମଦ ଅଲ୍ଲି ତାଙ୍କୁ ସ୍ୱରୋଦ ଶିଖାଇବାକୁ ମୋଟେ ରାଜି ହେଲେ ନାହିଁ । ସେ ଦିନେ ବାହାରକୁ କୁଆଡ଼େ ଯାଇଥିଲେ, ଆସି ଶୁଣିଲେ ଯେ ଆଲ୍ଲାଉଦ୍ଦିନ୍‍ ଘର ଭିତରେ ବସି ସ୍ୱରୋଦ ବଜାଉଛନ୍ତି । ଠିକ୍ ତାଙ୍କରି ପରି ନିର୍ଭୁଲ ଭାବରେ ବଜାଉଛନ୍ତି । ଅହମ୍ମଦ ଅଲ୍ଲି ସହି ପାରିଲେ ନାହିଁ । ଅମାନିଆ ଓ ଅବାଧ୍ୟ ଶିଷ୍ୟକୁ ସେ ସଙ୍ଗେ ସଙ୍ଗେ ଘରୁ ବାହାର କରିଦେଲେ ।

 

ତା’ପରେ ଦୀର୍ଘ ତିରିଶି ବର୍ଷ କାଳ ଆଲ୍ଲାଉଦ୍ଦିନ୍ ଆଉ ଜଣେ ଗୁରୁଜିଙ୍କ ଠାରୁ ସ୍ୱରୋଦ ଶିଖିଲେ । ଶେଷରେ ସମଗ୍ର ଭାରତବର୍ଷରେ ସ୍ୱରୋଦ କହିଲେ କେବଳ ତାହାଙ୍କୁ ହିଁ ବୁଝାଇଲା । ୧୯୧୮ ମସିହାରୁ ତିରିଶ ବର୍ଷ କାଳ ମଧ୍ୟପ୍ରଦେଶର ମୌହରଠାରେ ସେ ସ୍ଥାନୀୟ ରାଜାଙ୍କର ସଂଗୀତ ଶିକ୍ଷକ ହୋଇ ରହିଲେ ଓ ମୌହର କ୍ରମେ ଏହି ଦେଶରେ ସଂଗୀତଜ୍ଞ ମାନଙ୍କର ସର୍ବପ୍ରଧାନ ତୀର୍ଥସ୍ଥଳରେ ପରିଣତ ହୋଇଗଲା ।

 

ସେତିକିବେଳୁଁ ଆଲ୍ଲାଉଦ୍ଦିନ୍‍ଙ୍କର ପ୍ରଖ୍ୟାତିଯୁଗ ଆରମ୍ଭ ହେଲା । ୧୯୩୫ ମସିହାରେ ସେ ଉଦୟଶଙ୍କରଙ୍କର ନୃତ୍ୟଦଳରେ ଇଉରୋପ ଗଲେ । ୧୯୫୨ ମସିହାରେ ସଂଗୀତ ଏକାଡ଼େମୀ ପୁରଷ୍କାର ପାଇଲେ, ୧୯୫୮ ମସିହାରେ ପଦ୍ମଭୂଷଣ ହେଲେ । ୧୯୬୧ ମସିହାରେ ବିଶ୍ୱଭାରତୀ ଶାନ୍ତିନିକେତନ ତାଙ୍କୁ ଆପଣାର ସର୍ବୋଚ୍ଚ ପଦବୀ ‘ଦେଶିକୋତ୍ତମ’ରେ ଭୂଷିତ କରିଥିଲା ।

 

ଆଲ୍ଲାଉଦ୍ଦିନ୍ ଖାଁ ମୁସଲମାନ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ମାତ୍ର ସେ ଶ୍ରୀଯୁକ୍ତ ରାମକୃଷ୍ଣ ପରମହଂସ ଓ ତାଙ୍କର ପତ୍ନୀ ସାରଦା ଦେବୀଙ୍କର ପରମ ଭକ୍ତ ଥିଲେ । ସେ ସଂଗୀତ ଧର୍ମର ଉପାସକ ଦେଇ ଭଗବାନଙ୍କୁ ଖୋଜିଥିଲେ ଏବଂ ତାଙ୍କଠାରେ କୌଣସି ଧର୍ମ ଲାଗି ଆଦୌ କୌଣସି ବାଡ଼ ନଥିଲା କି ବାରଣ ନଥିଲା । ଦେହ ଛାଡ଼ିବାର କେତେ ମାସ ପୂର୍ବରୁ ସେ ଆପଣାର ଆତ୍ମୀୟମାନଙ୍କୁ ବାରମ୍ୱାର କହୁଥିଲେ ଯେ ଏଥର ତାଙ୍କ ଲାଗି ସାରଦା ମାଆଙ୍କର ଡାକ ଆସି ପହଞ୍ଚି ଗଲାଣି । ଏଥର ତାଙ୍କୁ ଯିବାକୁ ହେବ ।

 

ଆଲ୍ଲାଉଦ୍ଦିନ୍ ଆପଣାର ଘର ଭିତରେ ହିଁ ଧର୍ମ ଏବଂ ସମ୍ପ୍ରଦାୟର ସକଳ ବାଡ଼କୁ ଭାଙ୍ଗି ଦେଇଛନ୍ତି । ମାତ୍ର ଆପଣାର ସ୍ୱଧର୍ମ ଅର୍ଥାତ୍ ସଂଗୀତ ଧର୍ମକୁ ସିଏ ନିଜ କୁଟୁମ୍ୱଯାକର ଧର୍ମର ପରିଣତ କରିଦେଇ ଯାଇଛନ୍ତି । ତାଙ୍କର ପୁଅ ଅଲ୍ଲି ଆକବର୍‍ ଖାଁ ଆମେରିକାରେ ଭାରତୀୟ ସଂଗୀତର ଏକ ବିଦ୍ୟାଳୟ ସ୍ଥାପନ କରି ତାହାର ପରିଚଳାନା କରୁଛନ୍ତି । ଜାମାତା ପଣ୍ଡିତ ରବିଶଙ୍କର ସିତାର ବାଦନରେ ଆଜି ସମଗ୍ର ପୃଥିବୀରେ ପ୍ରଖ୍ୟାତି ଲାଭ କରିଛନ୍ତି । ନାତି ଆଶିଷ ମଧ୍ୟ ସେହି ସଂଗୀତ ପରିବାରର ଜଣେ ଦାୟାଦ ରୂପେ ଆପଣାକୁ ପରିଚିତ କରିବାରେ ଲାଗିଛନ୍ତି-। କିନ୍ତୁ ସମଗ୍ର ଦେଶରେ ଉସ୍ତାଦ୍ ଆଲ୍ଲାଉଦ୍ଦିନ୍ ଖାଁଙ୍କୁ ଗୁରୁ ଏବଂ ପ୍ରେରଣାଦାତା ରୂପେ ମାନୁଥିବା ଯେଉଁ ଅଗଣିତ ସଂଗୀତଜ୍ଞ ଓ ସଂଗୀତସାଧକମାନେ ସବୁ ରାଜ୍ୟରେ ଓ ସବୁ ଧର୍ମରେ ରହିଛନ୍ତି, ସେମାନଙ୍କର ସଂଖ୍ୟାର ଆଦୌ କୌଣସି ସୁମାରି କରାଯାଇ ପାରିବ ନାହିଁ ।

Image

 

ଜଣେ ଅଭିନବ ବିପ୍ଳବୀ

 

ବିନୋବା ଭାବେଙ୍କୁ ଆମ ଦେଶରେ ସମସ୍ତେ ସନ୍ଥ ବିନୋବା ବୋଲି କହନ୍ତି । ବିନୋବା ସନ୍ଥ ଥିଲେ, ବିପ୍ଳବୀ ଥିଲେ । ସବୁ ସନ୍ଥ ବିପ୍ଳବୀ ହୁଅନ୍ତି ନାହିଁ । ଯେଉଁ ସନ୍ଥ ସଂସାର ପକ୍ଷରେ ଓ ମନୁଷ୍ୟ ପକ୍ଷରେ ରହି ଲଢ଼ିବାକୁ ବାହାରି ପଡ଼େ, ସେଇ ବିପ୍ଳବୀ ହୁଏ । ସନ୍ଥ ବିନୋବା ସେହି ଭଳି ଜଣେ ବିପ୍ଳବୀ ଥିଲେ । ବର୍ତ୍ତମାନ ଆମ ପୃଥିବୀର ବହୁ ବ୍ୟକ୍ତି କହୁଛନ୍ତି ଯେ, ଇତିହାସର କୌଣସି କାଳରେ ଯାହା ହୋଇ ନଥିଲା, ବିନୋବା ଭାରତବର୍ଷରେ ତାହାହିଁ କରିବାଲାଗି ଡାକରା ଦେଇଥିଲେ ଓ ନିଜେ ସବାଆଗ ସଂଗ୍ରାମକ୍ଷେତ୍ରକୁ ବାହାରି ଯାଇଥିଲେ । ସିଏ ବିନା ରକ୍ତପାତରେ ସମାଜରେ ପ୍ରକୃତରେ ଏକ ବିପ୍ଳବ ଘଟାଇବାକୁ ଚେଷ୍ଟା କରିଥିଲେ ।

ଅନେକ ବର୍ଷ ତଳେ ଯେତେବେଳେ ବିନୋବା ଭାବେ ମାଟ୍ରିକ୍ ପାସ୍ କରି ସାର୍ଟିଫିକେଟ୍ ପାଇଲେ, ତାଙ୍କର ମାଆ ତାଙ୍କୁ କେନ୍ଦ୍ର କରି ସେତେବେଳେ ହୁଏତ କେତେ କେତେ ସ୍ୱପ୍ନ ଦେଖିଥିଲେ । ସିଏ ଚାକିରି କରିବେ, ଘରକୁ ପଇସା ଆଣିବେ, କୁଟୁମ୍ୱର ଦୁଃଖ ଦୂର ହେବ, ଏହିପରି କେତେ କ’ଣ ଭାବିଥିଲେ । ମାତ୍ର ଯୁବକ ବିନୋବା କ’ଣ ଭାବିଲେ କେଜାଣି, ଦିନେ ବୁହ ଆଶାର ସମ୍ପତ୍ତି ସେହି ସାର୍ଟିଫିକେଟ୍‍ଟିକୁ ଚିରି ନିଆଁ ଭିତରକୁ ପକାଇଦେଲେ । ତା’ପରେ ମାଆଙ୍କ ଠାରୁ ଅନୁମତି ନେଇ ଘରୁ ବାହାରିଗଲେ । ଇଚ୍ଛା, ସେ ହିମାଳୟ ଯିବେ, ଆଧ୍ୟାତ୍ମିକ ସାଧନା କରିବେ ।

ସେତିକିବେଳେ ସିଏ ମହାତ୍ମା ଗାନ୍ଧିଙ୍କର ଗାଟିଏ ଭାଷଣ ପଢ଼ିବାକୁ ପାଇଲେ । ହିମାଳୟ ଆଡ଼କୁ ପଡ଼ିଥିବା ତାଙ୍କର ବାଟଟି ତାଙ୍କୁ ଗାନ୍ଧୀଙ୍କ ସାବରମତୀ ଆଶ୍ରମରେ ଆଣି ପହଞ୍ଚାଇ ଦେଲା । ଗାନ୍ଧୀ ଯେତେବେଳେ ସାବରମତୀ ଛାଡ଼ି ସେବାଗ୍ରାମ ଆସିଲେ, ସେତେବେଳେ ବିନୋବା ମଧ୍ୟ ସେବାଗ୍ରାମ ଠାରୁ ପ୍ରାୟ ତିନି କୋଶ ବାଟରେ ପଓନାର୍ ନଦୀ କୂଳରେ ଆଶ୍ରମ କରି ରହିଲେ । ୧୯୪୧ ମସିହାରେ ମହାତ୍ମାଗାନ୍ଧୀ ତାଙ୍କୁ ଭାରତ ବର୍ଷର ପ୍ରଥମ ସତ୍ୟାଗ୍ରହୀ ରୂପେ ବାଛିଲେ । ତା’ପରେ ଯାଇ ଦେଶବାସୀ ଓ ଜଗତବାସୀ ତାଙ୍କୁ ଆବିଷ୍କାର କରିଥିଲେ । କିନ୍ତୁ ତାଙ୍କର ପୂର୍ଣ୍ଣ ଆବିଷ୍କାର ହେବାଲାଗି ଆହୁରି ଦଶ ବର୍ଷ ବାକୀ ରହିଥିଲା ।

ଆମ ଦେଶରେ ଏପରି ଅନେକ ଲୋକ ଅଛନ୍ତି, ଯେଉଁମାନେ ମେହେନତ୍ କରି ଜମିର ଚାଷ କରୁଛନ୍ତି, ମାତ୍ର ସେମାନଙ୍କର ନିଜର ବୋଲି କୌଣସି ଜମି ନାହିଁ । ପୁଣି, ଏପରି କେତେକ ଲୋକ ମଧ୍ୟ ଅଛନ୍ତି, ଯେଉଁମାନେ ନିଜେ ଚାଷ କାମ କରୁନାହାନ୍ତି । ମାତ୍ର ସେମାନେ କେତେ କେତେ ଜମିର ମାଲିକ ହୋଇ ବସିଛନ୍ତି । ଏହି ସମସ୍ୟାଟିର ସମାଧାନ ଲାଗି ପୃଥିବୀରେ କେତେ ହାଣକାଟ ଏବଂ ରକ୍ତପାତ ହୋଇଛି । ନଥିଲାବାଲା ଓ ଥିଲାବାଲାଙ୍କଠାରୁ ଜମି ଛଡ଼ାଇ ନେବାକୁ ଆସିଛନ୍ତି, ମଣିଷ ମଣିଷ ଭିତରେ କେତେ ରକ୍ତ ଢଳା ହୋଇଛି ।

ବିନୋବା ଆଉ ଗୋଟିଏ ପ୍ରକାରର ବାଟ ଆଡ଼କୁ ଇଙ୍ଗିତ ଦେଇ କହିଲେ, ଯଦି ଥିଲାବାଲାମାନେ ଆପେ ବୁଝି ଆପଣା ଜମିର କେତେକ ଅଂଶ ଦାନ କରି ଦିଅନ୍ତେ, ତେବେ ଆଦୌ କୌଣସି ରକ୍ତପାତ ହୁଅନ୍ତା ନାହିଁ । ୧୯୫୧ ମସିହା ଏପ୍ରିଲ ମାସରେ ଆନ୍ଧ୍ର ପ୍ରଦେଶର ଗୋଟିଏ ଗାଆଁରୁ ତାଙ୍କର ଏହି ସାହସିକ ପ୍ରୟୋଗ ଆରମ୍ଭ ହେଲା । ତାଙ୍କୁ ଜମି ମିଳିଲା । ଅର୍ଥାତ୍ ଭୂମିର ମାଲିକମାନେ ଭୂମିହୀନମାନଙ୍କର ହାତରେ ଦେବା ପାଇଁ ତାଙ୍କୁ ନିଜ ଜମିରୁ କିଛି ଅଂଶ ଦାନ କଲେ । ସେହି ସଫଳତାରେ ଆପଣା ଭିତରୁ ଆହୁରି ଉତ୍ସାହ ପାଇ ବିନୋବା ସେହି ଦିନଠାରୁ ରାଜ୍ୟ ରାଜ୍ୟ ହୋଇ ବୁଲିଲେ । ଜଣେ ବ୍ୟକ୍ତିର ବିଶ୍ୱାସ ଏକ ବିପୁଳ ଆନ୍ଦୋଳନରେ ପରିଣତ ହୋଇଗଲା ।

ଏହି ଭୂଦାନ ଆନ୍ଦୋଳନରୁ ଗ୍ରାମଦାନ ଆନ୍ଦୋଳନ ଜନ୍ମ ହେଲା । ଅର୍ଥାତ୍ ଗୋଟିଏ ଗ୍ରାମରେ ଯେତେ ଚାଷଜମି ଓ ଯେତେ ସମ୍ପତ୍ତି ରହିଛି, ସେସବୁ ସମସ୍ତ ଗ୍ରାମର ଜମି ଓ ସମ୍ପତ୍ତି ହୋଇ ରହିବ । ଅର୍ଥାତ୍‍, ଗ୍ରାମସଭାର ଜମି ଓ ସମ୍ପତ୍ତି ହୋଇ ରହିବ । ଗ୍ରାମସଭା ଗାଆଁ ଲାଗି ଯୋଜନା କରିବ । ସେହି ଗାଆଁରେ ସବୁ ପିଲା ପାଠ ପଢ଼ିବେ, ଗାଆଁର ସବୁ ଲୋକ କାମ ପାଇବେ, କେହି କାହାରିକୁ ଶୋଷଣ କରିବେ ନାହିଁ । ଲୋକନୀତିରେ ସମାଜ ଚାଲିବ । ସେଇଥିରୁ ହିଁ ଲୋକଶକ୍ତିର ବିକାଶ ହେବ । ସେହି ଶକ୍ତି ଦ୍ୱାରା ଦେଶର ଶାସନ ଚାଲିବ । ରାଜଧାନୀ ମାନଙ୍କରୁ ଏବେ ଚାଲୁଥିବା ବାବୁମାନଙ୍କର ଶାସନ ବନ୍ଦ ହୋଇଯିବ । ଗାଆଁବାଲାଏ ଆପଣା ଇଛାରେ ଏହି ଗ୍ରାମଦାନର ଘୋଷଣା କରିବେ ।

ଆନ୍ଦୋଳନର ଅଳ୍ପ କେତେ ବର୍ଷ ମଧ୍ୟରେ ଭାରତରେ ଲକ୍ଷାଧିକ ଗାଆଁ ଗ୍ରାମଦାନରେ ଘୋଷଣା କରିଦେଲେ । ସେହିସବୁ ଗାଆଁରେ ପୁରୁଣାଗୁଡ଼ାକୁ ଭାଙ୍ଗି ନୂଆର ନିର୍ମାଣ ଆରମ୍ଭ ହୋଇଗଲା । ଯୁବକ ଅବସ୍ଥାରେ ଯିଏ ଘର ଛାଡ଼ି ସନ୍ନ୍ୟାସୀ ହୋଇ ବାହାରିଥିଲା, ସମଗ୍ର ଦେଶକୁ ସୁଖୀ ଓ ଉଦ୍ୟମୀ ମଣିଷଙ୍କର ଗୋଟିଏ ଅଭେଦ ଘର ପରି ତିଆାରି କିରବା ଲାଗି ସିଏ ବୁଢ଼ା ହୋଇ ପୃଥିବୀରୁ ବିଦାୟ ନେବା ପର୍ଯ୍ୟନ୍ତ ସ୍ୱପ୍ନ ଦେଖିଲା । କେତେ କେତେ ଯୁବକଙ୍କୁ ଏଥିଲାଗି ଶକ୍ତି ଓ ପ୍ରେରଣା ଦେଇଗଲା ।

ବିନୋବା ଜ୍ଞାନର ସମୁଦ୍ର ଥିଲେ । ନାନା ଭାଷା ଆୟତ୍ତ କରିଥିଲେ, ନାନା ଶାସ୍ତ୍ରର ପ୍ରଣୟନ କରିଥିଲେ । ମାତ୍ର ସର୍ବୋପରି ସେ ପ୍ରକୃତରେ ଜଣେ ଜାଗ୍ରତ ମନୁଷ୍ୟ ଥିଲେ । ଅନେକ ମଣିଷଙ୍କୁ ଜାଗ୍ରତ କରି ଦେଇଥିଲେ ।

 

ନିଷ୍ଠାପର ଲୋକହିଁ ଅନ୍ୟର ନିଷ୍ଠାକୁ ଚିହ୍ନିପାରିବ ।

–କାର୍ଲାଇଲ୍

 

ଭଗବାନଙ୍କ ବାଣୀ କେବଳ ଶାସ୍ତ୍ର ପୁରାଣରେ ଲେଖାନାହିଁ; ବୃକ୍ଷ୍ୟ, ଲତା, ଫଳ, ପୁଷ୍ପ, ମେଘ, ନଦୀ ସମୁଦ୍ରରେ ମଧ୍ୟ ଲେଖାଅଛି ।

–ଲୁଥର

Image

 

ହେନ୍‍ରି ଫୋର୍ଡ଼ ଓ ମୋଟର ଗାଡ଼ି

 

ଆଜିକାଲି ସହରକୁ ଗଲେ ଆମେ କେତେ ପ୍ରକାର ମୋଟର ଗାଡ଼ି ଦେଖିବାକୁ ପାଇବା-। କାର୍, ବସ୍, ଟ୍ରକ୍ ଓ ଜିପ୍ ସବୁ ଏହି ମୋଟର ଗାଡ଼ିର ବିଭିନ୍ନ ରୂପ ବୋଲି କୁହାଯାଇ ପାରିବ । ଏବେ ତ ପ୍ରତ୍ୟେକ ବର୍ଷ ନୂଆ ନୂଆ ପ୍ରକାରର ମୋଟର ଗାଡ଼ି ତିଆରି ହେଉଛି, ଆମ ଦେଶରେ ମଧ୍ୟ ହେଉଛି । ମୋଟର ସାହାଯ୍ୟରେ ଯେଉଁ ଗାଡ଼ି ଚାଲେ, ତାହାକୁ ଆମେ ମୋଟର ଗାଡ଼ି ବୋଲି କହୁ ।

 

କିନ୍ତୁ ମୋଟରଗାଡ଼ିର କାହାଣୀ ଜାଣିବାକୁ ହେଲେ ଆମକୁ ପ୍ରସିଦ୍ଧ ଉଦ୍‍ଭାବକ ହେନ୍‍ରି ଫୋର୍ଡ଼ଙ୍କର ଜୀବନ କାହାଣୀ ଜାଣିବାକୁ ପଡ଼ିବ । ଫୋର୍ଡ଼ ହେଉଛନ୍ତି ମୋଟର ଗାଡ଼ିର ଜନ୍ମଦାତା । ବର୍ତ୍ତମାନ ପୃଥିବୀର ସବୁ ଦେଶରେ ସେ ସୁପରିଚିତ । ତାଙ୍କର ଶେଷ ଜୀବନରେ ତାଙ୍କୁ ପୃଥିବୀର ଅନ୍ୟତମ ଧନବାନ୍ ବ୍ୟକ୍ତି ବୋଲି କୁହାଯାଉଥିଲା । କିନ୍ତୁ ବାଲ୍ୟକାଳରୁ କେହି ବଡ଼ ବା ଧନବାନ୍ ହୋଇ ଜନ୍ମ ହୁଏ ନାହିଁ । ଆପଣାର ଉଦ୍ୟମ ଓ ଅଧ୍ୟବସାୟ ମଣିଷକୁ ବଡ଼ କରାଏ । ହେନ୍‍ରି ଫୋର୍ଡ଼ଙ୍କର ଜୀବନ ଚରିତରୁ ତାହାର ସ୍ପଷ୍ଟ ପ୍ରମାଣ ମିଳିବ ।

 

ଆମେରିକାର ଡେଟ୍ରଏଟ୍‍ ନଗରରେ ଫୋର୍ଡ଼ ୧୮୬୩ ଖ୍ରୀଷ୍ଟାବ୍ଦରେ ଜନ୍ମ ଗ୍ରହଣ କରିଥିଲେ । ଅତି ବାଲ୍ୟକାଳରୁ ସେ ନାନା ପ୍ରକାର ଯନ୍ତ୍ରପାତି ଆଡ଼କୁ ଆକୃଷ୍ଟ ହେଲେ । ସ୍କୁଲରୁ ପାଠ ପଢ଼ିସାରି ଘରକୁ ଆସିବା ମାତ୍ରକେ ସେ ପ୍ରତିଦିନ ନାନା ପ୍ରକାର ଯନ୍ତ୍ର ଓ ହତିଆର ନେଇ ଖୁଡ଼ଖାଡ଼୍‍ ଆରମ୍ଭ କରିଦିଅନ୍ତି । ଘଡ଼ି, ସାଇକେଲ ପ୍ରଭୃତି କିପରି ତିଆରି ହୋଇଛି, ସେକଥା ନୀରିକ୍ଷଣ କରି ଦେଖିବାରେ ତାଙ୍କର ଖୁବ୍ ଉତ୍ସାହ ଥାଏ । ଥରେ ତାଙ୍କର ଜଣେ ସାଙ୍ଗପିଲା ଗାଟିଏ ଭଙ୍ଗା ଘଡ଼ିର ଅଂଶସବୁ ଆଣି ତାଙ୍କ ହାତରେ ଦେଲା । ଅଧଘଣ୍ଟା ମଧ୍ୟରେ ଫୋର୍ଡ଼ ଯାବତୀୟ କଳକବ୍‍ଜାକୁ ଏକାଠି ଯୋଡ଼ି ଘଡ଼ିଟିକୁ ମରାମତି କରି ସାଙ୍ଗପିଲାକୁ ଫେରାଇ ଦେଲେ । ବାରବର୍ଷ ବୟସରୁ ସେ ସହରରେ ଥିବା ବିଭିନ୍ନ କାରଖାନାକୁ ଯିବାକୁ ଲାଗିଲେ । ବିଭିନ୍ନ ଯନ୍ତ୍ରମାନ କିପରି ଯୋଡ଼ା ହୋଇଛି ଓ କିପରି କାମ କରୁଛି, ସେକଥା ତନ୍ନ ତନ୍ନ କରି ଦେଖିବାକୁ ଲାଗିଲେ । ଦିନେ ରାସ୍ତାରେ ଗୋଟିଏ ପୁରୁଣା ଧରଣର ମୋଟର ଗାଡ଼ି ଦେଖି ତାଙ୍କର ତାଙ୍କର ମଧ୍ୟ ସେହିପରି ଏକ ଯାନ ତିଆରି କରିବାକୁ ଇଚ୍ଛା ଜନ୍ମିଲା । ତଳେ ଚାରୋଟି ଚକ ଲଗାଇ ଓ ତାହା ଉପରେ ଇଞ୍ଜିନ୍ ରଖି ସେ ମଧ୍ୟ ଆପଣାର ଗୋଟିଏ ଗାଡ଼ି ତିଆରି କଲେ ।

 

କିନ୍ତୁ ବାପାଙ୍କର ଇଚ୍ଛା ଥିଲା ଯେ ହେନ୍‍ରି ଜଣେ ଚାଷୀ ହେଉ । ସେତେବେଳେ ଯନ୍ତ୍ରର ପ୍ରସାର ହୋଇନଥିଲା । ମନୁଷ୍ୟ ଜୀବନରେ ଯନ୍ତ୍ର କୌଣସି ଉପକାର କରିବ ବୋଲି କେହି କଳ୍ପନା କରି ପାରୁନଥିଲା । ତେଣୁ ବାପା ଭାବୁଥିଲେ ଯେ ତାଙ୍କର ପୁଅ ବଡ଼ ହୋଇ ଚାଷୀ ହେବ ଏବଂ ଅଧିକ ଅର୍ଥ ଉପାର୍ଜନ କରିବ । କିନ୍ତୁ ବାଳକ ହେନ୍‍ରି ସେହି ପିଲାଟି ଦିନରୁ ମଧ୍ୟ ଯନ୍ତ୍ରଯୁଗର ସ୍ୱପ୍ନ ଦେଖୁଥିଲେ । କୃଷି, ଶିଳ୍ପ ଓ ଅନ୍ୟାନ୍ୟ ଦୈନନ୍ଦିନ ଆବଶ୍ୟକତାରେ ଯନ୍ତ୍ର ମନୁଷ୍ୟର ଅନେକ ଉପକାର କରିବ ବୋଲି ତାଙ୍କର ଦୃଢ଼ ବିଶ୍ୱାସ ଥିଲା ଓ ସେଥିପାଇଁ ସେ ଚାଷୀ ନହୋଇ ଯନ୍ତ୍ରର ବିକାଶ ଦିଗରେ ମନ ବଳାଇଥିଲେ ।

 

କିନ୍ତୁ ବାପାଙ୍କର ଜିଦ୍ ତାଙ୍କର ପଥରେ ପ୍ରତିବନ୍ଧକ ହୋଇ ଠିଆ ହେଲା ଓ ଷୋଳ ବର୍ଷ ବୟସରେ ହେନ୍‍ରି ଘରୁ ପଳାଇଯାଇ ଗୋଟିଏ ଘଡ଼ି ମରାମତି କରୁଥିବା ଦୋକାନରେ କାମ କଲେ । ତିନିବର୍ଷ ପରେ ବାପାଙ୍କର ଅନୁରୋଧରେ ସେ ଘରକୁ ଫେରି ଆସିଲେ । ସେତିକିବେଳେ ଡେଟ୍ରଏଟ୍ ସହରକୁ ଜର୍ମାନୀରୁ ପ୍ରଥମ ମୋଟର ଇଞ୍ଜିନ୍ ଆସି ପହଞ୍ଚିଲା । ହେନ୍‍ରି ଡେଟ୍ରଏଟ୍ ଗୋଟିଏ କାରଖାନାରେ ଚାକିରି କଲେ ଓ ଭବିଷ୍ରତରେ ନିଜେ ସେହିପରି ଏକ ଇଞ୍ଜିନ୍ ତିଆରି କରିବାର ଅଭିଳାଷରେ ଅର୍ଥ ସଞ୍ଚୟ କରିବାକୁ ଲାଗିଲେ । ଏଥିପାଇଁ ତାଙ୍କୁ ଦାରୁଣ ଅଭାବ ମଧ୍ୟଦେଇ ଚଳିବାକୁ ପଡ଼ିଲା । ଦୁଇବର୍ଷ ଅର୍ଥ ସଞ୍ଚୟ କରିବାପରେ ସେହି ଅର୍ଥରେ ସେ ନାନା ପ୍ରକାର ପୁରୁଣା କଳକବ୍‍ଜାର ଅଂଶକୁ ଏକାଠି ଯୋଡ଼ି ଗୋଟିଏ ଇଞ୍ଜିନ୍ ତିଆରି କଲେ । ସେଦିନ ତରୁଣ ଉଦ୍‍ଭାବକର ମନ କି ଆନନ୍ଦରେ ଉଛୁଳି ଉଠିନଥିବ ! ଗୋଟିଏ ସପ୍ତାହ ଲାଗି ତିଆରି ହୋଇଥିବା ଏହି ଇଞ୍ଜିନ୍‍ଟି ବେଶ୍ ଚାଲିଲା, କିନ୍ତୁ ଚାଲିଲାବେଳକୁ ଏହା ଖୁବ୍ ଶବ୍ଦ କଲା ଏବଂ ସେହି ଶବ୍ଦ ବଡ଼ ବିରକ୍ତିକର ଶୁଣାଗଲା ।

 

ହେନ୍‍ରି ଭାବିଲେ, ଏହି ଇଞ୍ଜିନ୍ ଉପରେ ଯଦି ଗୋଟିଏ ଗାଡ଼ି ରହନ୍ତା, ତେବେ ସେଥିରେ ମଣିଷ ବସି ଯାତାୟତ କରିପାରନ୍ତେ । ଚାରିଟି ସାଇକେଲ ଚକକୁ ଏକାଠି କରି ସେ ଗୋଟିଏ ଗାଡ଼ି ତିଆରି କଲେ । ଗାଡ଼ିର ଚାଳକ ବସିବା ପାଇଁ ସେଥିରେ ସେ ଗୋଟିଏ ସାଇକେଲ୍ ସିଟ୍ ଆଣି ଖଞ୍ଜିଦେଲେ । ପଛ ଦୁଇଚକ ଉପରେ ଇଞ୍ଜିନ୍ ବସାହେଲା । ୧୮୯୬ ମସିହାରେ ଏହି ଅଦ୍‍ଭୁତ ଯାନକୁ ରାସ୍ତାଉପରେ ପରୀକ୍ଷା କରାଗଲା । ଗାଡ଼ିରେ ବ୍ରେକ୍ ଲାଗିନଥାଏ, ରାସ୍ତାରେ ଯାଉଥିବା ଯାତ୍ରୀମାନଙ୍କୁ ସତର୍କ କରିଦେବାକୁ ଗୋଟିଏ ପିତ୍ତଳ ଘଣ୍ଟି ଢ଼ଂ ଢ଼ଂ ହୋଇ ବାଜୁଥାଏ । ଗାଡ଼ି ଚାଲିଲା । ହେନ୍‍ରିଙ୍କର ଜୀବନରେ ତାହା ହେଉଛି ଏକ ମହାନ୍ ଓ ସ୍ମରଣୀୟ ଦିବସ ।

 

ଆପଣା ହାତ ତିଆରି ଏହି ସମ୍ପଦଟିକୁ ଧରି ପ୍ରତ୍ୟେକ ଦିନ ସେ ଡେଟ୍ରଏଟ୍‍ର ରାସ୍ତାରେ ବାହାରନ୍ତି । ଦିନେ ଦିନେ ରାସ୍ତାମଝିରେ ଗାଡ଼ି ଖରାପ ହୋଇଯାଏ । ସେହି ରାସ୍ତା ଉପରେ ହିଁ ତାଙ୍କୁ ଗାଡ଼ିଟାକୁ ମରାମତି କିରବାକୁ ହୁଏ । ଇଞ୍ଜିନ୍‍ର କଳା ଲାଗି ସେ ଅବିକଳ ଗୋଟିଏ ଭୁତପରି ଦେଖାଯାନ୍ତି । ରାସ୍ତାରେ ଯାଉଥିବା ଲୋକମାନେ ତାଙ୍କର ଏହି ଦୁରବସ୍ଥା ଦେଖି ତାଙ୍କୁ କେତେ ଉପହାସ କରନ୍ତି । ତାଙ୍କୁ ପାଗଳ କହି କେତେ ଟାପରା କରନ୍ତି । ଉଦ୍‍ଭାବକ ହେବାକୁ ହେଲେ ଅର୍ଥାତ୍ କୌଣସି ନୂଆ କଥା ତିଆରି କରିବାକୁ ହେଲେ ଏହିପରି କେତେ ଉପହାସ ସହ୍ୟ କରିବାକୁ ପଡ଼େ ।

 

ଅସୀମ ଧୈର୍ଯ୍ୟ ସହକାରେ ହେନ୍‍ରି ଫୋର୍ଡ଼ ତାଙ୍କର ମୋଟର ଗାଡ଼ିର ନାନା ପ୍ରକାର ବିକାଶ ଓ ପରିବର୍ତ୍ତନ କରିବାକୁ ଆରମ୍ଭ କଲେ । ଗୋଟିଏ କାରଖାନା ବସାଇ ୧୯୦୦ ମସିହାରେ ସେ ପ୍ରଥମ ଫୋର୍ଡ଼ କାର୍ ନିର୍ମାଣ କଲେ । ଏଥିରେ ବ୍ରେକ୍ ଲାଗିଥିଲା, ଘଣ୍ଟାକୁ ପଚିଶି ମାଇଲ ଯିବାର ଶକ୍ତି ଏହି ଗାଡ଼ିର ଥିଲା । ନୂଆ ଗାଡ଼ିର ପ୍ରଥମ ଯାତ୍ରା ଦେଖିବାକୁ ପ୍ରାୟ ଆଠ ହଜାର ଲୋକ ରୁଣ୍ଡ ହୋଇଥିଲେ ଏହି ସଫଳତା ହାସଲ କରିବାପରେ ଫୋର୍ଡ଼ ଆମେରିକାରେ ପ୍ରସିଦ୍ଧ ହୋଇଗଲେ । କାରଖାନା ଉତ୍ପାଦନ ବୃଦ୍ଧି ପାଇବାକୁ ଲାଗିଲା । ବର୍ତ୍ତମାନ ଫୋର୍ଡ଼ ମୋଟର କାରଖାନା ଏକ ବିରାଟ କାରଖାନା । ୧୯୨୭ ମସିହାରେ ଏହି କାରଖାନାରେ ପ୍ରାୟ ଦେଢ଼କୋଟି ମୋଟର ଗାଡ଼ି ତିଆରି ହୋଇ ସାରିଥିଲା । ମୋଟରଗାଡ଼ି ବ୍ୟତୀତ କ୍ରମେ ଏହି କାରଖାନାରୁ ଟ୍ରାକ୍‍ଟର୍‍ ବା କଳଲଙ୍ଗଳ ତିଆରି ହେଲା । ବର୍ତ୍ତମାନ ଆମେରିକାର ଭଲ ଉଡ଼ାଜାହାଜ ଗୁଡ଼ିକ ମଧ୍ୟ ଏହିଠାରେ ତିଆରି ହେଉଛି ।

 

୧୯୪୭ ମସିହାରେ ହେନ୍‍ରି ଫୋର୍ଡ଼ ସଂସାରରୁ ବିଦାୟ ନେଲେ । ସେତେବେଳେ ତାଙ୍କୁ ତେୟାଅଶୀ ବର୍ଷ ବୟସ ହୋଇଥିଲା । ତାଙ୍କର କାରଖାନାରୁ ଲାଭ ହେଉଥିବା କୋଟି କୋଟି ଟଙ୍କାକୁ ସେ ଜ୍ଞାନ ଓ ବିଜ୍ଞାନ ପ୍ରସାରପାଇଁ ଦାନ କରି ଯାଇଛନ୍ତି । ଆଧୁନିକ ସଭ୍ୟତାର ପରମ ବନ୍ଧୁ ହିସାବରେ ସବୁଦେଶର ଲୋକଙ୍କ ମନରେ ଫୋର୍ଡ଼ କାଳକାଳକୁ ବଞ୍ଚି ରହିଥିବେ।

 

ଅନ୍ୟାୟକୁ ପୋତିଦେଇ ଲୁଚାଇ ପାରିବ ନାହିଁ । ଦିନେ ନା ଦିନେ କେହି ତାକୁ ଖୋଳି ବହାର କରିବ ।

–ରିଭାରୋଲ

 

ସଦ୍‍ଗୁଣର ବହୁପ୍ରଚାରକ ଅଛନ୍ତି–କିନ୍ତୁ ତାହାର ମର୍ଯ୍ୟାଦା ରକ୍ଷା ପାଇଁ ପ୍ରାଣ ଦେବା ଲୋକଙ୍କ ସଂଖ୍ୟା ଖୁବ୍ କମ୍ ।

–ହେଲ୍‍ଭେସିଅସ୍

 

ତୁମ ପାଖରେ ଯଦି ଜ୍ଞାନଦୀପ ଅଛି, ସେଥିରୁ ନିଜ ନିଜର ବତୀ ଜଳାଇନେବା ପାଇଁ ଅନ୍ୟମାନଙ୍କୁ ସୁଯୋଗ ଦିଅ ।

–ପୁଲର୍

Image

 

ଋଷିଆର ନୂଆ ଚାଷ

 

ଋଷିଆର ନୂଆ ଚାଷ ବିଷୟରେ କିଛି କହିବା ପୂର୍ବରୁ ପ୍ରଥମେ ଋଷିଆର କୃଷି-ବୈଜ୍ଞାନିକ ଇଭାନ୍‌ ମିଚୁରିନ୍‌ଙ୍କର କଥା ମନେ ପଡ଼ିଯାଏ । କେବଳ ଋଷିଆଦେଶରେ କାହିଁକି, ସମଗ୍ର ପୃଥିବୀରେ କୃଷି ଗବେଷଣାରେ ସେ ଅନେକ ଅସମ୍ଭବକୁ ସମ୍ଭବ କରିଅଛନ୍ତି ବୋଲି କହିବାକୁ ହେବ । ପୂର୍ବରୁ ଯାହା ଅସମ୍ଭବ ବୋଧ ହେଉଥିଲା, ଆଜି ତାହା ସମ୍ଭବ ହେଉଛି । ଯାହା ଆଜି ଅସମ୍ଭବ ବୋଲି ମନେ ହେଉଛି, ଭବିଷ୍ୟତରେ ତାହାକୁ ସମ୍ଭବ କରିବାପାଇଁ ପରୀକ୍ଷା ଚାଲିଛି-। ଅସମ୍ଭବକୁ ବୁଦ୍ଧି ଓ ବିଦ୍ୟାଳୟରେ ସମ୍ଭବ କରିବାର ଇତିହାସକୁ ବିଜ୍ଞାନର ଇତିହାସ ବୋଲି କୁହାଯାଏ । ଋଷିଆର ଇଭାନ୍‌ ମିଚୁରିନ୍‌ ଏହିପରି ଅନେକ ଅସମ୍ଭବକୁ ସମ୍ଭବ କରିଥିବାରୁ ଆଜି ସେ ଜଣେ ବଡ଼ ବୈଜ୍ଞାନିକ ହିସାବରେ ପରିଚିତ ହୋଇଛନ୍ତି ।

 

ଋଷିଆଦେଶ ଭାରତ ବର୍ଷଠାରୁ ଅନେକ ଉତ୍ତରରେ ଅବସ୍ଥିତ । ଆମ ଦେଶ ଗ୍ରୀଷ୍ମ ପ୍ରଧାନ, କିନ୍ତୁ ଋଷିଆ ଶୀତ ପ୍ରଧାନ । ଆମେ ଯେତେ ଉତ୍ତରକୁ ଯିବା, ଗ୍ରୀଷ୍ମ ସେତେ କମ୍‌ ହୋଇଯିବ ଏବଂ ଶୀତ ସେତେ ବଢ଼ିଯିବ । ଉତ୍ତର ଋଷିଆର ଗୋଟିଏ ଛୋଟ ସହରରେ ୧୮୫୫ ମସିହାରେ ମିଚୁରିନ୍‌ ଜନ୍ମ ଗ୍ରହଣ କରିଥିଲେ । ପିଲାଟି ଦିନରୁ ଗଛପତ୍ର ଓ ଫୁଲଫଳ ପ୍ରତି ତାଙ୍କର ଭାରି ମମତା ଥିଲା । ବଗିଚାରେ ଭଲ ଗଛଟିଏ, ଲଗାଇବା ଓ ଜଙ୍ଗଲରୁ କେତେ ରକମର ନୂଆ ଫୁଲର ଚାରାଗଛ ଆଣି ବଗିଚାରେ ସେଥିରୁ ଫୁଲ ଫୁଟାଇବାର ଚେଷ୍ଟା କରିବାରେ ସେ ଅତିଶୟ ଆନନ୍ଦ ପାଉଥିଲେ । ହାଇସ୍କୁଲ ପର୍ଯ୍ୟନ୍ତ ଯାଇ ତାଙ୍କର ପାଠପଢ଼ା ହଠାତ୍‌ ବନ୍ଦ ହୋଇଯିବାରୁ ମିଚୁରିନ୍‌ ରେଳ ବିଭାଗରେ କିରାନୀ କାମ କଲେ । ତଥାପି ନିଜର ଅବସର ସମୟରେ ସେ ଆପଣାର ବଗିଚାରେ କାମ କରନ୍ତି । ନାନା ସ୍ଥାନରୁ ନାନାପ୍ରକାର ନୂଆ ଫଳ ଓ ଫୁଲର ଗଛ ଆଣି ସେଥିରେ ଲଗାନ୍ତି ।

 

ଉତ୍ତର ଋଷିଆର ସେହି ଛୋଟ ସହରଟିରେ ଶୀତ ଋତୁରେ ପ୍ରାୟ ସାତମାସ ବରଫ ପଡ଼େ । ତେଣୁ କୃଷିକାର୍ଯ୍ୟ କରିବା ପାଇଁ ସେଠାରେ କେବଳ ପାଞ୍ଚମାସ ସମୟ ମିଳେ । ବଗିଚାରେ କୌଣସି ପ୍ରକାର ସ୍ଥାୟୀ ଫଳ ବା ଫୁଲର ଗଛ ରଖିବା ସମ୍ଭବ ହୁଏ ନାହିଁ। ଉଦ୍ଭିଦର ପ୍ରାଣ ଜଳବାୟୁ ଉପରେ ନିର୍ଭର କରେ । ସ୍ଥାୟୀଗଛ ଲଗାଇବାକୁ ହେଲେ ତାହା ଲାଗି ଅଧିକ ଉତ୍ତାପ ଦରକାର, ଶୀତଦିନର କୁହୁଡ଼ି ଓ ବରଫରୁ ଗଛକୁ ସୁରକ୍ଷିତ ରଖିବା ଦରକାର । ସେଥିଲାଗି ଉତ୍ତର ଋଷିଆରେ କୌଣସି ପ୍ରକାରର ଫଳଗଛ ଉଧେଇ ପାରେ ନାହିଁ । ଦକ୍ଷିଣରୁ ଫଳ ଆସି ଉତ୍ତର ଋଷିଆର ବଜାରରେ ଅଧିକ ଦରରେ ବିକ୍ରି ହୁଏ ।

 

ଦକ୍ଷିଣରେ ହେଉଥିବା ଫଳଗଛ ଗୁଡ଼ିକୁ କିପରି ଉତ୍ତର ଋଷିଆରେ ଲଗାଇ ସେଥିରୁ ଫଳ ଉତ୍ପନ୍ନ କରାଯାଇପାରିବ, ମିଚୁରିନ୍‌ ସେହି ବିଷୟରେ ଚିନ୍ତା କରୁଥାନ୍ତି । କିନ୍ତୁ ପ୍ରକୃତି ବିରୁଦ୍ଧରେ ଯିବାକୁ କାହାର ଶକ୍ତି ଅଛି ? ଯେଉଁସ୍ଥାନର ଜଳବାୟୁ ଯେପରି, ସେଠାରେ କେବଳ ସେହିପରି ଫଳ ଓ ଫସଲ ଫଳିବା ସମ୍ଭବ ହେବ । କିନ୍ତୁ ମିଚୁରିନ୍‌ ପ୍ରକୃତିର ବିରୁଦ୍ଧରେ ଯିବାପାଇଁ ଅଣ୍ଟା ଭିଡ଼ିଲେ । ଅସମ୍ଭବକୁ ସମ୍ଭବ କରାଇବାକୁ ବଦ୍ଧ ପରିକର ହେଲେ । ସେ କହିଲେ, ଆମେ କେବଳ ପ୍ରକୃତିର ଅନୁଗ୍ରହ ଉପରେ ନିର୍ଭର କରି ରହିବା କାହିଁକି ? ନିଜର ବୁଦ୍ଧି ବଳରେ ଆମକୁ ପ୍ରକୃତିକୁ ଜୟ କରିବାକୁ ପଡ଼ିବ । ମଣିଷର ବୁଦ୍ଧି ପାଖରେ ପ୍ରକୃତି ନିଶ୍ଚୟ ପରାସ୍ତ ହୋଇଯିବ ।

 

ଏହିପରି ଏକ ସଂକଳ୍ପ ନେଇ ମିଚୁରିନ୍‌ ରେଳବାଇ ଚାକିରି ଛାଡ଼ିଦେଲେ ଓ ଗୋଟିଏ ଛୋଟ ବଗିଚାରେ ଆପଣାର ପରୀକ୍ଷା ଆରମ୍ଭ କଲେ । ଗ୍ରୀଷ୍ମକାଳରେ ସେ ଦକ୍ଷିଣ ଋଷିଆର କେତେକ ଫଳଗଛର ମଞ୍ଜି ନେଇ ବଗିଚାରେ ଲଗାଇଲେ । ମଞ୍ଜିରୁ ଗଛ ଉଠିଲା ଓ ଚମତ୍କାର ଭାବରେ ବଢ଼ିବାକୁ ଲାଗିଲା । କିନ୍ତୁ ଶୀତଦିନର ବରଫ ଗଛଗୁଡ଼ିକୁ ମାରି ପକାଇଲା । ପ୍ରକୃତି ଜୟଲାଭ କଲା, ମିଚୁରିନ୍‌ ହାରିଗଲେ । କିନ୍ତୁ ହତାଶ ନହୋଇ ମିଚୁରିନ୍‌ ପୁଣି ଆପଣାର ପରୀକ୍ଷାରେ ମନଦେଲେ ।

 

ଏଥର ସେ ଗୋଟିଏ ନୂଆ ଉପାୟ ବିଚାର କଲେ । ସେ ଭାବିଲେ ଯଦି କୌଣସି ଉପାୟରେ ଗଛକୁ ଅଧିକ ଶକ୍ତିଶାଳୀ କରାଯାଇ ପାରିବ, ତେବେ ତାହା ଉତ୍ତର ଋଷିଆର ବରଫକୁ ପ୍ରତିରୋଧ କରିପାରିବ ଏବଂ ତାହାହେଲେ ବରଫ ପଡ଼ିଲେ ମଧ୍ୟ ସେଠାରେ ସ୍ଥାୟୀଗଛ ବଞ୍ଚି ରହିପାରିବ । ଏହାପରେ ସେ ଦକ୍ଷିଣ ଋଷିଆର କଲମୀ ଗଛରୁ ଭଲ ମଞ୍ଜି ନେଇ ତାଙ୍କର ବଗିଚାରେ ଲଗାଇଲେ । ଦକ୍ଷିଣ ଋଷିଆର ମାଟି ନେଇ ଗଛମୂଳରେ ଦେଲେ । ଏହିପରି ନାନା ପ୍ରକାର ପ୍ରୟୋଗ କରିବା ପରେ ତାଙ୍କର କଳ୍ପନା ସଫଳ ହେଲା ।

 

ଗଛ କଲମୀ କରି ସେଥିରୁ ମଞ୍ଜି ନେଇ ସେ କେତେ କିସମର ଫଳ ଫଳାଇ ପାରିଲେ-। ତାଙ୍କର କୃଷି କ୍ଷେତ୍ରରେ କ୍ରମେ ଦକ୍ଷିଣ ଅଞ୍ଚଳର ବିଭିନ୍ନ ଫଳ ଓ ଫୁଲ ଉତ୍ପନ୍ନ ହୋଇ ପାରିଲା । ଏହିପରି ପଚାଶ ବର୍ଷର ଅଧ୍ୟବସାୟ ଓ ଗବେଷଣା ପରେ ତାଙ୍କର ବଗିଚାରେ ସେ ସେଉ, ନାସପତି, ବାଦାମ, ଅଙ୍ଗୁର ଓ ବିଲାତି ବାଇଗଣ ପ୍ରଭୃତି ଫଳର ପ୍ରାୟ ଦେଢ଼ଶହ ବିଭିନ୍ନ ପ୍ରକାର ସମ୍ଭବ କରାଇପାରିଲେ । ଆଗରୁ ଉତ୍ତର ଋଷିଆରେ ଏହିସବୁ ଫଳ ଆଦୌ ଜନ୍ମୁ ନଥିଲା ।

 

ଏହି ପରୀକ୍ଷାରେ ସଫଳ ହେବାପରେ ମିଚୁରିନ୍‌ ଆହୁରି ଅନେକ ପରୀକ୍ଷା ଆରମ୍ଭ କରିଦେଲେ ଓ ସେଥିରେ କୃତକାର୍ଯ୍ୟ ହୋଇଥିଲେ । ଖଟା ଫଳକୁ ମିଠା ଓ ସୁସ୍ୱାଦୁ କରିବା, ଛୋଟ ପଳର ଆକାରକୁ ବଡ଼ କରିବା । ଦୁଇପ୍ରକାର ଫଳଗଛକୁ କଲମୀ କରି ନୂଆ ନୂଆ ପ୍ରକାରର ଫଳ ଉତ୍ପନ୍ନ କରାଇବା, ଏହିପରି ନାନା ଦିଗରେ ସେ ଗବେଷଣା କଲେ ଓ ଅନେକ ଅସମ୍ଭବକୁ ସମ୍ଭବ କରାଇଲେ । ଫଳପରି ଫୁଲରେ ମଧ୍ୟ ତାଙ୍କର ପରୀକ୍ଷା ଆରମ୍ଭ ହେଲା । ପାରସ୍ୟର ଗୋଲାପଗଛ ସହିତ ଋଷିଆର ଗୋଲାପଗଛକୁ କଲମୀ କରି ସେ ନୂଆ ପ୍ରକାରର ଗୋଲାପ ଫୁଲ ଫୁଟାଇଲେ । କେତେ ନୂଆ ରଙ୍ଗର କେତେ ନୂଆ ଫୁଲ ତାଙ୍କର ବଗିଚାରେ ଫୁଟିଲା ।

 

ଋଷିଆର ଚାରିଆଡ଼ୁ ବୈଜ୍ଞାନିକମାନେ ଆସି ମିଚୁରିନ୍‌ଙ୍କର ବଗିଚା ଦେଖିଲେ ଓ ତାଙ୍କଠାରୁ ଉପାୟମାନ ଶିକ୍ଷା କରି ଦେଶର ବିଭିନ୍ନ ସ୍ଥାନରେ ମଧ୍ୟ ସେହିପରି ଫଳ ଓ ଫୁଲର ଚାଷ ଆରମ୍ଭ କରିଦେଲେ । ଯେ କୌଣସି ଜଳବାୟୁରେ ଯେ କୌଣସି ପ୍ରକାର ଫଳ ଓ ଫୁଲର ଚାଷ କରିବାର ପ୍ରଣାଳୀକୁ ବର୍ତ୍ତମାନ ମିଚୁରିନ୍‌ ପ୍ରଣାଳୀ ବୋଲି କୁହାଯାଉଛି । ଏହି ପ୍ରଣାଳୀଦ୍ୱାରା ଉତ୍ସାହିତ ହୋଇ ଋଷିଆର କୃଷିବିତ୍‌ମାନେ ସାଇବିରିଆର ତୁନ୍ଦ୍ରା ପ୍ରଦେଶରେ ମଧ୍ୟ କୃଷିର ପ୍ରୟୋଗ ଆରମ୍ଭ କରିଦେଲେ । ଅନ୍ୟାନ୍ୟ ଦେଶର ପଣ୍ଡିତମାନେ ମଧ୍ୟ ମିଚୁରିନ୍‌ ପ୍ରଣାଳୀର ସାହାଯ୍ୟ ନେଇ କୃଷିର ଉନ୍ନତି କରିବାରେ ଲାଗି ପଡ଼ିଲେ ।

 

୧୯୩୫ ମସିହାରେ ଇଭାନ୍‌ ମିଚୁରିନ୍‌ ପ୍ରାଣତ୍ୟାଗ କଲେ । ଆଧୁନିକ କୃଷି ବିଜ୍ଞାନକୁ ତାଙ୍କର ଦାନ ଅତୁଳନୀୟ । ଖାଲି ଋଷିଆ ନୁହେଁ, ସମଗ୍ର ପୃଥିବୀର କୃଷିଲାଗି ସେ ଏକ ଉଜ୍ଜ୍ୱଳ ଭବିଷ୍ୟତର ଦ୍ୱାର ଖୋଲିଦେଇ ଯାଇଛନ୍ତି । ଆଜି ପୃଥିବୀର ଅନେକ ଦେଶରେ ପ୍ରକୃତିର ନିର୍ଦ୍ଦୟତା ହେତୁ କୌଣସି କୃଷି ସମ୍ଭବ ହୋଇପାରୁ ନାହିଁ । କିନ୍ତୁ ମିଚୁରିନ୍‌ଙ୍କ ପ୍ରୟୋଗ ଫଳରେ ଯେଉଁ ଜ୍ଞାନ ପୃଥିବୀକୁ ମିଳିଛି । ସେଥିରୁ ସମସ୍ତେ ଆଶା କରୁଛନ୍ତି ଯେ ମଣିଷ ଦିନେ ନା ଦିନେ ପ୍ରକୃତି ଉପରେ ବିଜୟ ହାସଲ କରିବ, ଆରବର ମରୁଭୂମି ଓ ସାଇବିରିଆର ତୁଷାର ପ୍ରଦେଶ ମଧ୍ୟ ଦିନେ ସୁନ୍ଦର ଓ ଶସ୍ୟସୁଶ୍ୟାମଳ ହୋଇପାରିବ ।

Image

 

ଦାନିଲୋ ଦୋଲ୍‍ଚି

 

ମୋଟେ ପ୍ରାୟ ପଇଁତିରିଶି ବର୍ଷ ତଳର କଥା । ୧୯୫୨ ମସିହାରେ ଗ୍ରୀଷ୍ମଛୁଟି ସମୟରେ ଇତାଲି ଦେଶର ଜଣେ ଯୁବକ ଉଞ୍ଜିନିଅର୍‌ ସିସିଲି ଦ୍ୱୀପରେ ପ୍ରାଚୀନ ରୋମ୍‌ ସାମ୍ରାଜ୍ୟର ଭଗ୍ନାବଶେଷ ଗୁଡ଼ିକୁ ଦେଖିବା ପାଇଁ ଆସିଥିଲେ । ସିଏ ଭାବିଥିଲେ ଯେ ଏହି ସାନ ଦ୍ୱୀପଟିରେ ପ୍ରାୟ ଏକ ସପ୍ତାହ ମଧ୍ୟରେ ସିଏ ଯାହା କିଛି ଦେଖିବା କଥା ଅଳ୍ପ ବହୁତେ ଦେଖି ଦେବେ ଓ ତାପରେ ନିଜର ଘର ଉତ୍ତର ଇତାଲିକୁ ଫେରିଯିବେ । ମାତ୍ର ତାହା ସମ୍ଭବ ହୋଇ ପାରିଲା ନାହିଁ ।

 

ବିଧାତାଙ୍କର ବରାଦ ଅନ୍ୟପ୍ରକାର ଥିଲା । ପୁରାତନ ଇତିହାସର ଭଗ୍ନାବଶେଷ ଦେଖୁ ଦେଖୁ ଯୁବକ ଇଞ୍ଜିନିଅର୍‌ ସେଠାରେ ହଜାର ହଜାର ମନୁଷ୍ୟଙ୍କର ଦାରିଦ୍ର୍ୟକୁ ମଧ୍ୟ ଦେଖିବାକୁ ପାଇଲେ । ମନୁଷ୍ୟ ଯେ ଏପରି ଭାବରେ ନାରଖାର ଓ ଅସୁନ୍ଦର ହୋଇ ରହିପାରେ, ସିଏ ତାହା କଳ୍ପନା ମଧ୍ୟ କରି ପାରିଲେ ନାହିଁ । ସେଠାରେ ସେହି ଦରିଦ୍ରମାନଙ୍କ ମଧ୍ୟରେ ରହି ତାଙ୍କର ବହୁତ କିଛି କାର୍ଯ୍ୟ କରିବାକୁ ଅଛି ବୋଲି ତାଙ୍କର ବିବେକ ତାଙ୍କୁ ଆହ୍ୱାନ କଲା । ଇଞ୍ଜିନିଅର୍‌ ଦାନିଲୋ ଦୋଲ୍‌ଚି ଆଉ ଘରକୁ ଫେରିଲେ ନାହିଁ । ସ୍ଥାୟୀ ଭାବରେ ସିସିଲିରେ ହିଁ ରହିଗଲେ ।

 

ଇତାଲିର ଦକ୍ଷିଣକୁ ସିସିଲି ଦ୍ୱୀପ; ଇତାଲି ଦେଶର ଗୋଟିଏ ଅଂଶ, ଧନୀ ଇତାଲିର ଗୋଟିଏ ଦରିଦ୍ର ପ୍ରଦେଶ । ଦ୍ୱୀପର ଅଧିକାଂଶ ଅଞ୍ଚଳ ହେଉଛି ପଥୁରିଆ ବଣଭୂମି । ଯେଉଁ ଅଳ୍ପ ପରିମାଣରେ ଭୂମିରେ ଚାଷବାସ ହୋଇ ପାରନ୍ତା, ସେଥିକୁ ପାଣି ଯିବାର କୌଣସି ବନ୍ଦୋବସ୍ତ ନାହିଁ ଏବଂ ସେହି ଚାଷ ଜମିତକ ମଧ୍ୟ ମାତ୍ର କେତେଜଣ ଜମି ମାଲିକଙ୍କର ହାତରେ ଯାଇ ରହିଛି । ଜମିମାଲିକମାନେ ହେଉଛନ୍ତି ଜମିର ମାଲିକ, ସେମାନେ ନିଜେ ଚାଷକାମ କରନ୍ତି ନାହିଁ । ପ୍ରଦେଶର ପ୍ରାୟ ତିନି ଭାଗରୁ ଭାଗେ ଲୋକ ଅନ୍ୟର ଜମିରେ ମୁଲିଆ ହୋଇ କାମ କରନ୍ତି । ବର୍ଷକ ବାରମାସ ମୋଟେ କାମ ମିଳେନାହିଁ । ଯେଉଁଦିନ କାମ ମିଳେ କରନ୍ତି, ଅନ୍ୟଦିନ ମାନଙ୍କରେ ନିକିମା ହୋଇ ବସି ରହନ୍ତି ।

 

ସିସିଲି ଦ୍ୱୀପର ଅଧିକାଂଶ ଲୋକେ ପାଠ ପଢ଼ି ନାହାନ୍ତି । ଅନେକ ଘରର ସାନ ସାନ ପିଲା ସ୍କୁଲକୁ ଯାଆନ୍ତି ନାହିଁ । ସେମାନେ ମଜୁରୀ ଖଟି କୁଟୁମ୍ବର ରୋଜଗାରରେ ସାହାଯ୍ୟ କରନ୍ତି । ତେଣୁ ସେମାନଙ୍କୁ ସ୍କୁଲକୁ ପଠାଇ ଗରିବ ବାପ ମାଆ ପରିବାରର ଆଦୌ କୌଣସି ଲୋକସାନ କରିବାକୁ ଇଚ୍ଛା କରନ୍ତି ନାହିଁ । ସହରତଳି ଅଞ୍ଚଳର ଅବସ୍ଥା କହିଲେ ନସରେ । ଗାଡ଼ ପରି ତିଆରି ହୋଇଥିବା ଗୋଟାଏ ଗୋଟାଏ ଘରେ ଏକାବେଳକେ ଚାରିପାଞ୍ଚଟା ପରିବାର ବାସ କରନ୍ତି । ଏବଂ ଏସବୁ ସହିତ ସେହି ଦ୍ୱୀପରେ ମାଫିଆ ବୋଲି ଗୋଟାଏ ଦସ୍ୟୁଦଳର ଉତ୍ପାତ ମଧ୍ୟ ରହିଛି । ମାଫିଆଙ୍କ ସହିତ ପୋଲିସ୍‌ବାଲାଙ୍କର ସଲା ରହିଛି । ତେଣୁ ଅନେକ କ୍ଷେତ୍ରରେ ସରକାରଙ୍କର ଶାସନ ନଚଳି ସେହି ଦସ୍ୟୁଦଳର ହିଁ ଶାସନ ଚଳୁଥାଏ ।

 

ଦାନିଲୋ ଦୋଲ୍‌ଚି ଭାବିଲେ, ଜଣେ ମଣିଷ ହିସାବରେ ସିସିଲିରେ ମଣିଷମାନଙ୍କ ପାଇଁ ତାଙ୍କର ବହୁତ କିଛି କରିବାକୁ ରହିଛି । ପ୍ରକୃତ ସମସ୍ୟାଟିକୁ ଭଲ ଭାବରେ ଜାଣିବା ନିମନ୍ତେ ଦୋଲ୍‌ଚି ସର୍ବପ୍ରଥମେ ସେହି ଅଞ୍ଚଳଟିର ଟିକି ନିଖି ସର୍ଭେ କଲେ । ଲୋକ ଜୀବନର ସବୁ ପ୍ରକାର ତଥ୍ୟ ଓ ହିସାବମାନ ସଂଗ୍ରହ କଲେ । ସେଥିରୁ ଜଣା ପଡ଼ିଲା ଯେ, ସେଠାରେ ବହି ଯାଉଥିବା ତିନୋଟି ନଦୀକୁ ଯଦି ବନ୍ଧାଇ ଦିଆ ଯାଆନ୍ତା, ତେବେ ତଦ୍ୱାରା ଚାଷ ପାଇଁ ଯଥେଷ୍ଟ ଜଳ ମିଳିପାରନ୍ତା ଓ ଅନେକ ଲୋକ କାମ ପାଇଯାଆନ୍ତେ । ଗୋଟିଏ ବନ୍ଧର ଯୋଜନାଟିଏ କରି ସେ ସରକାରଙ୍କୁ ଦେଲେ ।

 

ସରକାର କାଗଜପତ୍ରରେ ସବୁକଥା ଶୁଣିଲେ, କିନ୍ତୁ ବନ୍ଧର କାମ ନାଲିଫିତା ଭିତରେ ବନ୍ଧାହୋଇ ରହିଗଲା । ଦାନିଲୋ ଦୋଲ୍‌ଚିଙ୍କୁ ସେଥିଲାଗି ଅନଶନ କରିବାକୁ ପଡ଼ିଲା, ତେବେଯାଇ ଦରିଦ୍ରମାନଙ୍କୁ ମଣିଷ ପରି ବଞ୍ଚିବାକୁ ଦେବାଲାଗି ଦେଶର ସରକାର କିଛି କରିବା ସକାଶେ ରାଜି ହେଲେ ।

 

ସିସିଲିରେ ଦାରିଦ୍ର ଓ ଦସ୍ୟୁବୃତ୍ତିର ଗୋଟିଏ ପ୍ରଧାନ କାରଣ ହେଉଛି ଯେ, ସେଠାରେ ହଜାର ହଜାର ଲୋକଙ୍କ ହାତରେ ଆଦୌ କୌଣସି କାମ ନାହିଁ, ତେଣୁ କୌଣସି ରୋଜଗାର ମଧ୍ୟ ନାହିଁ ଏହି କଥାଟି ଆଡ଼କୁ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିବା ଉଦ୍ଦେଶ୍ୟରେ ଦୋଲ୍‌ଚି ଗୋଟିଏ ଅଭିନବ ଉପାୟ ବାହାର କଲେ । ସେ କହିଲେ, କାମ କରିବା ପ୍ରତ୍ୟେକ ମନୁଷ୍ୟର ଅଧିକାର ନୁହେଁ, ତାହା ହେଉଛି ପ୍ରତ୍ୟେକ ମନୁଷ୍ୟର କତ୍ତର୍ବ୍ୟ । ଅଳସୁଆ ହୋଇ ବସି ରହିବା ଏକ ଅଧର୍ମ, ଅନ୍ୟାୟ । ତେଣୁ ଆମକୁ କେହି ପଇସା ଦେଇ କାମରେ ନଲଗାଉ ପଛକେ, ଆମେ ତଥାପି କାମ କରିବା, ପଇସା ନେଇ କାମ କରିବା । ଏହାକୁ ସେ ଓଲଟ ଧର୍ମଘଟ ବୋଲି କହିଲେ ଓ ସାଙ୍ଗରେ ପ୍ରାୟ ତିନିଶହ ମନୁଷ୍ୟଙ୍କୁ ନେଇ ରାଜଧାନୀର ଗୋଟିଏ ଅତି ଦରିଦ୍ର ଅଞ୍ଚଳରେ ବିନା ମଜୁରିରେ ରାସ୍ତା ମରାମତି କରିବାକୁ ବାହାରିଲେ ।

 

ଏହି ଯାତ୍ରା ସତକୁ ସତ ଏକ ଲୋକଆନ୍ଦୋଳନରେ ପରିଣତ ହୋଇଗଲା । ସରକାରୀ ସମ୍ପତ୍ତି ଅର୍ଥାତ୍‌ ସାଧାରଣ ସମ୍ପତ୍ତି ଉପରେ ଜବରଦସ୍ତି କରୁଥିବାର ଅପରାଧରେ ତାଙ୍କୁ ମଧ୍ୟ କେତେଜଣଙ୍କ ସହିତ ସରକାରୀ ଆଇନ ବଳରେ ଗିରଫ କରି ନିଆଗଲା ତଳ ଅଦାଲତ ତାଙ୍କୁ ତିନିମାସ ଜେଲଦଣ୍ଡର ଆଦେଶ ଦେଲା । ଉପର ବିଚାରାଳୟରେ ତାହାକୁ ଆଠ ମାସକୁ ବଢ଼ାଇ ଦିଆଗଲା ।

 

ଦୋଲ୍‍ଚି ସିସିଲିକୁ ଆସିବା ପରେ ସେହି ଦ୍ୱୀପରେ ଦରିଦ୍ର ସାଧାରଣ ମଣିଷଙ୍କର ଅବସ୍ଥାରେ କିଞ୍ଚିତ ପରିବତ୍ତର୍ନ ହେଲାଣି ସତ, ମାତ୍ର ତାଙ୍କର କାମ ତଥାପି ସରି ନାହିଁ । ଦୋଲ୍‌ଚିଙ୍କର ଅଭିନବ ନିଷ୍ଠା ଓ ସାହସ ସାରା ପୃଥିବୀର ଦୃଷ୍ଟି ଆକର୍ଷଣ କରିଛି । ତାଙ୍କ କାର୍ଯ୍ୟରୁ ପ୍ରେରଣା ପାଇବାକୁ କେତେ ମଣିଷ ସିସିଲି ଆସୁଛନ୍ତି । ଇତାଲି ଦେଶରେ ବଡ଼ ଲୋକମାନଙ୍କର ମଧ୍ୟ କ୍ରମେ ବୁଦ୍ଧିର ଉଦୟ ହେଉଛି ।

 

ଏହିଭଳି ମଣିଷ ମଧ୍ୟ ବତ୍ତର୍ମାନ ଆମର ଏହି ପୃଥିବୀରେ ଅଛନ୍ତି । ସେହିମାନେ ହେଉଛନ୍ତି ଏହି ପୃଥିବୀର ଆଶା । କେତେ ଶହ କୋଟି ମଣିଷ ବାସ କରୁଥିବା ଆମ ପୃଥିବୀର ଆଶା । ଦୋଲ୍‌ଚି ଇଞ୍ଜିନିଅର୍‌ ହୋଇ ବେଶୀ ପଇସା କମାଇଥିଲେ ତାଙ୍କରି ବାପା ମାଆ ବା ପିଲାଛୁଆ ହିଁ ତାଙ୍କୁ ଜାଣିଥାନ୍ତେ । ଇତାଲି ଦେଶରେ ଏମିତି ଇଞ୍ଜିନିଅର୍‌ ହୁଏତ ହଜାର ହଜାର ସଂଖ୍ୟାରେ ରହିଛନ୍ତି । ମାତ୍ର ବର୍ତ୍ତମାନ ଦାନିଲୋ ଦୋଲ୍‌ଚିଙ୍କୁ କିଏ ସିସିଲିର ଆତ୍ମା ବୋଲି କହୁଛି, କିଏ ଇତାଲି ଦେଶର ଗାନ୍ଧୀ ବୋଲି କହୁଛି, ଆଉ କିଏ ବିଶ୍ୱର ବିବେକ ବୋଲି କହୁଛି ।

 

ଦୋଲ୍‌ଚିଙ୍କର ସିସିଲିକୁ ଆମେ ଆମ ଦେଶରେ ଖୋଜି ବାହାର କରିବାକୁ ଚେଷ୍ଟା କରିବା । ଆମ ନିଜ ଭିତରେ ମଧ୍ୟ ଦୋଲ୍‌ଚିଙ୍କୁ ଆବିଷ୍କାର କରିବାଲାଗି ସାହାସ କରିବା ।

Image